ସାମ୍ନାକୁ ଆସିଲା କାଲିମେଳା ତହସିଲ ଦୁର୍ନୀତିର ଆଉ ଏକ ସାଂଘାତିକ ସତ । ବଡବଡିଆଙ୍କୁ ସରକାରୀ ଜମି ପଟ୍ଟା ଦେବାକୁ କିରାଣୀ ନେଉଥିଲେ ଲକ୍ଷାଧିକ ଟଙ୍କା ।

233

କନକ ବ୍ୟୁରୋ : ଟଙ୍କା ଦିଅ ପଟ୍ଟା ନିଅ । ଉପାନ୍ତ ଅଞ୍ଚଳରେ କେମିତି ଚଞ୍ଚକତା କରି ବଡ ବଡିଆଙ୍କୁ ପଟ୍ଟା ପ୍ରଦାନ କରାଯାଉଛି । ତାହାର ନିଚ୍ଛକ ପ୍ରମାଣ ଆସିଛି ପୁଣି ସେଇ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟରୁ । ଗରିବ ଗୁରୁବା ଓ ଭୂମିହୀନଙ୍କୁ ଥଇଥାନ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ସତ । ତେବେ ସେଇ ନିର୍ଦ୍ଦେଶ ଆଳରେ ତହସିଲ କର୍ମଚାରୀ ମୋଟା ଅଙ୍କ ରୋଜଗାର କରି ବଡ ବଡିଆଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରୁଛନ୍ତି ତହସିଲ କର୍ମଚାରୀ । ଆଉ କେବଳ ସେତିକି ନୁହଁ ବରଂ ତହସିଲ୍ କାମ କରାଇଦେବା ଲାଗି ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିବାର ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ।

କଳା ମିଚ୍ମିଚ୍ ରାତିରେ କଳା କାରବାର । ଅନ୍ଧାର ରାତିରେ ଅନ୍ଧାରୁଆ ଲାଞ୍ଚ ନେଉଛନ୍ତି କାଲିମେଳା ତହସିଲ କାର୍ଯ୍ୟାଳୟର ସରକାରୀ ବାବୁ । ଚଞ୍ଚକତା କରି ବଡବଡିଆଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଘଟଣାରେ ୨ ଜଣ କର୍ମଚାରୀ ନିଲମ୍ବିତ ହେବାର ଦିନକ ପରେ ସାମ୍ନାକୁ ଆସିଛି ତହସିଲ ଅଫିସରେ ଲାଞ୍ଚ କାରବାରର ଏହି ଭିଡିଓ । ଅଭିଯୋଗ ଅନୁସାରେ ୬ ଜଣଙ୍କ ପଟ୍ଟାକୁ ସରକାରୀ ୱେବସାଇଟରେ ଅପଡେଟ୍ କରାଇବା ଲାଗି ମୋଟା ଅଙ୍କ ଦାବି କରିଥିଲେ କିରାଣୀ । କାଲିମେଳା ତହସିଲର ଜଣେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଲକ୍ଷେ ଟଙ୍କା ମାଗିଥିଲେ । ଆଉ ଭେଜାଙ୍ଗିୱାଡା ଅଂଚଳର ଜଣେ ଗ୍ରାମବାସୀଙ୍କ ଠାରୁ ୫୦ ହଜାର ଟଙ୍କା ନେଉଥିବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ କିଭଳି ହୋଇଥିଲା ବାର୍ତ୍ତାଳାପ

ଜମି ମାଲିକ- ଗୋଟେ କାମ କରନ୍ତୁ, ସପ୍ତାହ କି ୧୦ ଦିନ ଭିତରେ ଏଇଟା ଚଢେଇ ଦିଅନ୍ତୁ, ଆଉ ବାକି ଲେଟ୍ ହେଲେ ବି ଚଳିବ, ଏଇଟା ଗଣନ୍ତୁ

ସରକାରୀ ବାବୁ- କେତେ, କେତେ କହିଲେ ତ

ଜମି ମାଲିକ- ଫିଫଟି, ଗଣି ଦେଲେ ଭଲ ନା

ସରକାରୀ ବାବୁ- ଶୁଣନ୍ତୁ ବିଶ୍ୱାସ..

ଜମି ମାଲିକ- ମେନ କଥା ସେଇଟା, ବିଶ୍ୱାସ ବଡ ଜିନିଷ, ଫିଫଟି ଦେଲେ ଚଢାଇ ଦିଅନ୍ତୁ ବାକି ଧିରେ ଧିରେ.. 

ସରକାରୀ ବାବୁ- ଗୋଟେ କାମ କରନ୍ତୁ

ଜମି ମାଲିକ- ୬ ଲୋକ ହୋଇଗଲା, ୬ ଲୋକଙ୍କ ପାଖରୁ କଲେକସନ କରୁ କରୁ ବାୟା ଛାଡି ଯାଉଛି

ସରକାରୀ ବାବୁ- ମୁଁ ଜିନିଷ ମଗାଇବି ଅଫିସ ପାଇଁ ତ, ଆଉ ଗୋଟେ ସପ୍ତାହରେ ଆଉ ଗୋଟେ ଫିଫଟି ଦେଇ ଦେଲେ ଜିନିଷ ଅର୍ଡର କରିଦେବି

ଜମି ମାଲିକ-ଆପଣ ଚଳାଇ ଦିଅନ୍ତୁ ଆପଣଙ୍କର ଟେନସନ୍ ନାହିଁ

କାଲିମେଳା ତହସିଲ କାର୍ଯ୍ୟାଳୟରେ ଟଙ୍କା କାରବାର କିଛି ନୂଆ ନୁହେଁ । ଗରିବ ଆଦିବାସୀଙ୍କୁ ଓପିଏଲଇ ଆଇନ ଅନୁଯାୟୀ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏଠାରେ ଏନକ୍ରୋଚମେଂଟ ଆଇନର ଉଲଂଘନ କରି ୧୮ ଜଣ ବଡବଡିଆ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପଟ୍ଟା ପ୍ରଦାନ କରାଯାଇଛି । ଯେଉଁ ଘଟଣାରେ ରାଜସ୍ୱ ନିରୀକ୍ଷକ ସୁରେଶ ପୁଜାରୀ ଓ ଏନକ୍ରୋଚମେଂଟ ଦାୟିତ୍ୱରେ ଥିବା କିରାଣୀ ଦିବ୍ୟ ସିଂହ ପାଇକରାୟଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । କିନ୍ତୁ ବଡବଡିଆ ଏଥିରୁ ବାଦ ପଡିଛନ୍ତି । ସେହିପରି ୨ ବର୍ଷ ପୂର୍ବେ କାଲିମେଳା ଆରକ୍ଷୀ ନିରୀକ୍ଷକ କପିଳ ନାୟକ ମଧ୍ୟ ଏପରି ଏକ ଲାଞ୍ଚ କାରବାରରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିଲେ ।