ଆରପାରିରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର । ଷାଠିଏ ଓ ସତୁରି ଦଶକରେ ସେ ଗାଇଥିଲେ ଅନେକ ଓଡ଼ିଆ ଗୀତ

271

କନକ ବ୍ୟୁରୋ: ପ୍ରଖ୍ୟାତ ଓଡିଆ ତଥା ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ହୃଦଘାତ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।

ପିଲାବେଳୁ ସଙ୍ଗୀତମୟ ପରିବେଶରେ ବଢିଥିବା ନିର୍ମଳା ବଙ୍ଗଳା ଭାଷାରେ ନିଜ ସ୍ୱରର ଯାଦୁରେ ସମସ୍ତଙ୍କ ମନ ମୋହୁଥିଲେ । ଏହାସହ ଅନେକ ଓଡିଆ ଗୀତରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । ଷାଠିଏ ଓ ସତୁରି ଦଶକରେ ସେ ଗାଇଛନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଗୀତ । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ‘ନିଦଭରା ରାତି ମଧୁଝରା ଜହ’୍ନ, ‘ମୋ ମନର ବୀଣାର ତାରେ’…, ‘ଜୀବନ ଯମୁନାରେ ଜୁଆର ଉଠେରେ’…., ‘ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା’…ଆଦି ଚିର ସବୁଜ ଗୀତ ରହିଛି ।

ସେ ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ । ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କଣ୍ଠଦାନ କରିଛନ୍ତି । ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।