ହଟ୍ଟଗୋଳ ମଧ୍ୟରେ ସରିଲା ସଂସଦର ମୌସୁମି ଅଧିବେଶନ । ୨ ଦିନ ଆଗରୁ ଶେଷ ହେଲା ଲୋକସଭା । ସେପଟେ ରାଜ୍ୟସଭାରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ।

129

କନକ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚଳିତ ମୌସୁମୀ ଅଧିବେଶନବେଳେ ରାଜ୍ୟସଭା ସଠିକ୍ ଭାବେ ଚାଲି ପାରିନାହିଁ । ବାରମ୍ବାର ବିରୋଧୀଙ୍କ ନାରାବାଜି ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେ କହିଛନ୍ତି ଗୃହରେ ବିରୋଧୀଙ୍କ ଆଚରଣ ନିନ୍ଦନୀୟ । ସାଂସଦମାନେ ଟେବୁଲ ଉପରେ ଚଢି ପାଟିତୁଣ୍ଡ କରି ସାଂସଦର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛନ୍ତି । ବିରୋଧୀଙ୍କ ଏଭଳି ଆଚରଣରେ ଗଭୀର ଭାବେ ମର୍ମାହତ ହେବା ସହ କାନ୍ଦି ପକାଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ।

ବିରୋଧିଙ୍କ ଲଗାତାର ପ୍ରତିବାଦ ଭିତରେ ବୁଧବାର ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ଲୋକସଭାର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ ଭିତରେ ସଂସଦ ଠିକ୍ ଭାବେ ଚାଲି ପାରୁ ନାହିଁ । ଫଳରେ ଦୁଇ ଦିନ ଆଗରୁ ଲୋକସଭାର ମୌସୁମୀ ଅଧିବେଶନକୁ ଶେଷ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଲୋକସଭା ସ୍ଥଗିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସେମତ ବିରୋଧୀ ଦଳ ନେତା ମାନେ ବାଚସ୍ପତି ଓମ୍ ବିର୍ଲାଙ୍କ ସହ ଆଲୋଚନା କରିଛନ୍ତି । ତେବେ ପେଗାସସ୍, ଚାଷୀ ଆନ୍ଦୋଳନ, ପେଟ୍ରୋଲ-ଡିଜେଲ ଦରଦାମ୍ ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ଏଥର ସୌସୁମୀ ଅଧିବେଶନକୁ ସଠିକ୍ ଭାବେ ଚଳାଇଦେଇ ନଥିବାରୁ ଓମ୍ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତି ।