୧୨ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ । ନିଲମ୍ବନ ପ୍ରତ୍ୟାହାର କରିବାକୁ ମନାକଲେ ରାଜ୍ୟସଭା ଅଧ୍ୟକ୍ଷ ।

175

କନକ ବ୍ୟୁରୋ: ୧୨ ଜଣ ରାଜ୍ୟସଭା ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ନିଲମ୍ବନ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।

ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦଙ୍କ ହଙ୍ଗାମା, ଗୃହର ନିୟମ ବିରୋଧୀ ଥିଲା, ଯାହାକୁ ନେଇ ସୋମବାର ୧୨ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ଏନେଇ ବିରୋଧୀ କଡା ମନ୍ତବ୍ୟ ଦେବା ସହ ନିଲମ୍ବନ ପ୍ରତ୍ୟାହର କରିବାକୁ ଅଡି ବସିଥିଲେ । ଏହାପରେ ନିଲମ୍ବିତ ସାଂସଦଙ୍କ ସହ ଆଲୋଚନା ହୋଇଥିଲା । ସାଂସଦ ମାନେ ନିଜ ଭୁଲ ପାଇଁ କ୍ଷମା ମାଗିଲେ ସେମାନଙ୍କ ନିଲମ୍ବନ ପ୍ରତ୍ୟାହର କରାଯିବ ବୋଲି ଭେଙ୍କିୟା ନାଇଡୁ କହିଥିଲେ ବି କ୍ଷମା ମାଗିବାକୁ ରାଜି ହେଲେନି ସାଂସଦ । ଫଳରେ ନିଲମ୍ବନ ପ୍ରତ୍ୟାହାର କରିବାକୁ ସ୍ପଷ୍ଟ ମନା କରିଛନ୍ତି ଭେଙ୍କିୟା ନାଇଡୁ । ପ୍ରତ୍ୟାହାର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ନୁହେଁ ବରଂ ଗୃହ କିମିଟିର ନିଷ୍ପତ୍ତି । ତେଣୁ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି କହିଛନ୍ତି ଭେଙ୍କିୟା ।

ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ଦୋଷ ଦେଇ ଏହାକୁ ବେଆଇନ ବୋଲି କହିଛନ୍ତି । ହେଲେ ନିଲମ୍ବନକୁ ଯଥାର୍ଥ ବୋଲି କହିଛନ୍ତି ଅନେକ ନେତା । ସୂଚନା ମୁତାବକ, ଅଗଷ୍ଟ ମାସରେ ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦ ପୋଡିୟମ ଭାଙ୍ଗିବା ସହ ଗୃହ ମଧ୍ୟକୁ ଯାଇ ହୋହାଲ୍ଲା କରିଥିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ବି ଏହାକୁ ଭ୍ରୁକ୍ଷେପ କରିନଥିଲେ ସାଂସଦ । ଟେବୁଲ ଫୋପାଡି ନଥିପତ୍ରକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ସଂସଦୀୟ କମିଟି ସେମାନଙ୍କୁ ସୋମବାର ନିିଲମ୍ବନ କରିଛି ।