କୁହୁଡି ପୋଡି ଦେଉଛି ଫସଲ । ହେକ୍ଟର ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ, ନାଲି ପଡିଯାଉଛି ଫୁଲକୋବି, ଜଳି ଯାଉଛି କାକୁଡି ଗଛ, କମି ଯାଉଛି ଅମଳ ।

144

କନକ ବ୍ୟୁରୋ : ଘନକୁହୁଡି ପରିବା ଚାଷୀଙ୍କ ଭେଳା ବୁଡାଇଲାଣି । ୧୫ ଦିନ ହେବ ଘନ କୁହୁଡ଼ି ଯୋଗୁଁ  ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍କା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତି ୯ଟାରୁ ସକାଳ ୯ଟା ଯାଏଁ କୁହୁଡ଼ି ଯୋଗୁଁ ପନିପରିବା ଚାଷ ପ୍ରଭାବିତ ହୋଇଛି ।

କୁହୁଡି ଯୋଗୁଁ ପୋଡି ଯାଉଛି କାକୁଡି ଗଛ । ନଷ୍ଟ ହେଉଛି ଫୁଲକୋବି ଚାଷ । କୁହୁଡ଼ି ଯୋଗୁଁ ତଳି ଘେରା ନଷ୍ଟ ହୋଇଯାଉଛି । ଫୁଲ କୋବି ସବୁ ନାଲିମାରିଯିବା ସହିତ କଢ଼ସବୁ ଫୁଟି ଯାଉଛି । ତେଣୁ ବିକ୍ରି ହୋଇନପାରି ନଷ୍ଟ ହେଉଛି । କେବଳ କୋବି ନୁହେଁ କାକୁଡ଼ି ଫଳ ଧରିବା ବେଳେ ପତ୍ର ପୋଡ଼ିଯିବାରୁ ଅମଳ କମି ଯାଉଥିବା ନିମାପଡ଼ା ବ୍ଲକ ବଳଙ୍ଗା ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ।

କାକୁଡି, ଫୁଲକୋବି ଭଳି ବାଇଗଣ ଓ ଅନ୍ୟାନ୍ୟ ଫସଲ ବି କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି । ହେକ୍ଟର ହେକ୍ଟର ଜମିରେ ପରିବା ଫସଲ ଚାଷ ନଷ୍ଟ ହୋଇଛି । ତେଣୁ ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଲାଭ ଆଶା ମଉଳି ଯିବା ସହ କରଜ ସୁଝିବା ଚିନ୍ତା ଘାରିଛି ।

ଘନ କୁହୁଡି ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇଗଲେ, ଚାଷୀଙ୍କର ଅମଳ କମିଯିବ । ଫସଲ ଅମଳ କମିଗଲେ, ବଜାରରେ ପନିପରିବା ଦର ବଢିବ । ଆଉ ଏଥିପାଇଁ ଚାଷୀ କ୍ଷତି ସହିବା ସହ ଖାଉଟିଙ୍କ ପକେଟ୍ ଖାଲି ହେବାର ଆଶଙ୍କା ରହିଛି ।