ଆଖିବୁଜିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା । ଭଗବାନଙ୍କ ପ୍ରସାଦ ଖାଉଥିଲା, ମନ୍ଦିରକୁ ସୁରକ୍ଷା ଦେଉଥିଲା ।

1,393

କନକ ବ୍ୟୁରୋ : ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା ଶେଷ ନିଶ୍ୱାସ ତ୍ୟାଗ କରିଛି । କେରଳର କାସରଗୋଡରେ ଥିବା ଶ୍ରୀ ଆନନ୍ଦପଦ୍ମନାଭ ମନ୍ଦିରରେ ସୋମବାର ଆଖି ବୁଜିଛି ଦିବ୍ୟ ବାବିୟା । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାବିୟା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଦିବ୍ୟ କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ୱିପ୍ରହରରେ ବାହାରକୁ ବାହାରୁଥିଲା । ଲୋକ ମାନ୍ୟତା ଅନୁଯାୟୀ, ବାବିୟା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା । ଆଉ ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ଥିଲା । ଶ୍ରଦ୍ଧାଳୁ ମାନେ ଉଭୟ ଭଗବାନ କୁମ୍ଭୀରକୁ ଏଠାରେ ପୂଜା କରିଥିବାର ନଜିର ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାବିୟା ଗତ କିଛି ଦିନ ହେବ ଅସୁସ୍ଥ ଥିଲା । ଏପରିକି ପଶୁ ଚିକିତ୍ସିକ ବାବିୟାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ । ଗତ ୨ ଦିନ ହେବ ଖାଇବାକୁ ଡକାଯାଉଥିଲେ ମଧ୍ୟ କୂଳକୁ ଖାଇବାକୁ ଆସୁନଥିଲା ବାବିୟା । ଏହାପୂର୍ବରୁ ବାବିୟାକୁ ଯେତେବେଳେ ପୂଜାରୀ ଖାଇବାକୁ ଡାକୁଥିଲେ ସେତେବେଳେ କୂଳରେ ପହଞ୍ଚି ଯାଉଥିଲେ । ପ୍ରତ୍ୟେକ ଦିନ ୨ ଥର ମନ୍ଦିର ପୂଜକ ବାବିୟାଙ୍କୁ ଭଗବାନଙ୍କ ପ୍ରସାଦ ଖାଇବାକୁ ଦେଉଥିଲେ । ଆଉ ଏହାକୁ ବେଶ ଆନନ୍ଦ ସହକାରେ ଖାଉଥିଲା ବାବିୟା । ଯେହେତୁ କେବଳ ଭଗବାନଙ୍କ ପ୍ରସାଦ ଖାଉଥିଲା ତେଣୁ ବାବିୟାକୁ ବିଶ୍ୱର ଶାକାହାରୀ କୁମ୍ଭୀର ଭାବେ ପରିଗଣିତ କରାଯାଉଥିଲା । ସବୁଠୁ ବଡ କଥା ହେଉଛି ବାବିୟା ନା କେବେ ମାଂସ ଖାଉଥିଲା ନା କେବେ ପୋଖରୀରେ ଥିବା ମାଛ ଉପରେ ଆକ୍ରମଣ କରିଥିଲା ।

ବାବିୟାକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି ଏବଂ ତାହା ଭିତରୁ ସବୁଠୁ ରୋଚକ ଲୋକକଥା ଅନୁଯାୟୀ, କୁମ୍ଭୀର ବାବିୟା ସେହି ଗୁମ୍ପାର ସୁରକ୍ଷା ଦେଇଥାଏ ଯେଉଁଥିରେ ଭଗବାନ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କାହିଁ କେତେ ଦଶନ୍ଧି ପୂର୍ବରୁ ଜଣେ ସନ୍ଥ ଆନନ୍ଦପଦ୍ମନାଭସ୍ୱାମୀ ମନ୍ଦିରରେ ତପସ୍ୟା କରୁଥିଲେ । ଏହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ବାଳକ ରୂପରେ ଆସି ସନ୍ଥଙ୍କୁ ଚିଡାଇଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ତପସ୍ୱୀ ଜଣକ ମନ୍ଦିର ପରିସରରେ ଥିବା ପୋଖରୀକୁ କୁନି ବାଳକଙ୍କୁ ଠେଲି ଦେଇଥିଲେ । କିନ୍ତୁ ପରେ ସନ୍ଥ ନିଜର ଭୁଲ ବୁଝିପାରି ବାଳକକୁ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ । ଆଉ ପ୍ରଚଳିତ ଲୋକ କଥା ଅନୁଯାୟୀ, ସେହିଠାରେ ଭଗବାନ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଆଉ କିଛି ସମୟ ମଧ୍ୟରେ ପୋଖରୀ ମଧ୍ୟରୁ ଏକ କୁମ୍ଭୀର ସାମ୍ନାକୁ ଆସିଥିଲା । ଆଉ ସେବେଠାରୁ ବାବିୟାକୁ ଭଗବାନଙ୍କ ଦୂତ ଭାବେ ପୂଜା କରି ଆସୁଥିଲେ ଶ୍ରଦ୍ଧାଳୁ । ବାବିୟାଙ୍କ ଦର୍ଶନ କଲେ ଶୁଭଫଳ ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଥିଲା ।

୨୦୨୦ରେ ବାବିୟା ମନ୍ଦିର ପରିସରକୁ ଚାଲି ଆସିଥିଲା । କିନ୍ତୁ ପୂଜକଙ୍କ କହିବା ପରେ ତୁରନ୍ତ ପୁଣି ପୋଖରୀ ମଧ୍ୟକୁ ଚାଲି ଯାଇଥିଲା । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ବାବିୟାର ମୃତ୍ୟୁ ପରେ ମନ୍ଦିର ପରିସରରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ଜଣେ ସନ୍ଥଙ୍କୁ ଯେମିତି ସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଥାଏ ବାବିୟାକୁ ମଧ୍ୟ ଠିକ୍ ସେମିତି ସମ୍ମାନର ସହ ଶେଷ ବିଦାୟ ଦିଆଯିବ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ବାବିୟାର ଅନ୍ତିମ ସଂସ୍କାର କରିବେ ମନ୍ଦିର କର୍ତ୍ତୃପକ୍ଷ ।