ବିଜେପିରେ ସାମିଲ ହେଲେ ବୀରାପ୍ପନ ଝିଅ । କହିଲେ, ବାପା ଯାହା କରିଥିଲେ ଭୁଲ କିନ୍ତୁ ଗରୀବଙ୍କ ଭଲ ପାଇଁ ସେ ଲଢ଼େଇ କରୁଥିଲେ ।

3,759

କନକ ବ୍ୟୁରୋ: ବିଜେପିରେ ସାମିଲ ହେଲେ ଜଙ୍ଗଲ ଦସ୍ୟୁ ବୀରପ୍ପନଙ୍କ ଝିଅ । ଦିନେ ସାରା ଦେଶକୁ ଥରହର କରୁଥିବା ତାମିଲନାଡୁର କୁଖ୍ୟାତ ଡାକୁ ବୀରପ୍ପନର ଝିଅ ବିଦ୍ୟା ରାଣୀ ବିଧିବଦ୍ଧ ଭାବେ ଗେରୁଆ କ୍ୟାମ୍ପରେ ସାମିଲ ହୋଇଛନ୍ତି । ଗତକାଲି ତାମିଲନାଡୁର କୃଷ୍ଣଗିରି ଠାରେ ବିଜେପିର ଏକ ଦଳୀୟ ସଭାରେ ଶପଥ ପାଠ କରି ପଦ୍ମ ଶିବିରକୁ ଏଣ୍ଟ୍ରି କରିଛନ୍ତି ବୀରାପ୍ପନଙ୍କ ଝିଅ ।

ସେପଟେ ବିଜେପିରେ ସାମିଲ ହେବା ପରେ ବିଦ୍ୟାରାଣୀ କହିଛନ୍ତି କି, ମୋ ବାପା ବାଛିଥିବା ରାସ୍ତା ଭୁଲ ଥିଲା କିନ୍ତୁ ସେ ସବୁବେଳେ ଗରୀବଙ୍କ କଥା ଚିନ୍ତା କରୁଥିଲା । ମୁଁ ବିଜେପିରେ ସାମିଲ ହେଲି କେବଳ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ମୋର ମୂଳ ଲକ୍ଷ୍ୟ । ତେବେ ବୀରପ୍ପନର ଦୁଇଟି ଝିଅ ବିଧ୍ୟାରାଣୀ ଓ ପ୍ରଭା ରାଣୀ । ପେଶାରେ ବଡ଼ ଝିଅ ବିଦ୍ୟାରାଣୀ ଜଣେ ଓକିଲ । ତେଣୁ ଲୋକଙ୍କୁ ନ୍ୟାୟ ଦେବା ପାଇଁ ରାଜନୀତି ଏବଂ କ୍ଷମତାର ଆବଶ୍ୟକ ରହିଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି ।

ଅନ୍ୟପଟେ ୧୫ ବର୍ଷ ତଳେ ଦକ୍ଷିଣ ଭାରତକୁ ଆତଙ୍କିତ କରିଥିବା ଜଙ୍ଗଲ ଦସ୍ୟୁ ବୀରପ୍ପନ ୨୦୦୪ରେ ପୁଲିସ ହାତରେ ନିହତ ହୋଇଥିଲା । ଚନ୍ଦନ କାଠର ଚୋରା ଚାଲାଣ ଏବଂ ଅପହରଣ ଓ ଅନ୍ୟାନ୍ୟ ଅପରାଧିକ ମାମଲା ପାଇଁ କେବଳ ଦକ୍ଷିଣ ଭାରତ ନୁହେଁ ସାରା ଦେଶରେ ଛନକା ଭରିଥିଲା ବୀରପ୍ପନ ଭୟ ।