ସରକାର କୃଷକଙ୍କ କଷ୍ଟ ବୁଝିବା ଆବଶ୍ୟକ : ବରୁଣ ଗାନ୍ଧୀ

95

କନକ ବ୍ୟୁରୋ : ୟୁପିର ମୁଜାଫରନଗରରେ ଚାଲିଛି କୃଷକ ମହାପଂଚାୟତ । ଲକ୍ଷ ଲକ୍ଷ କୃଷକ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ମହାପଞ୍ଚାୟତର ଭିଡିଓ ସେୟାର କରିବା ସହ ଆମକୁ କୃଷକଙ୍କ କଷ୍ଟକୁ ବୁଝିବା ଦରକାର ବୋଲି କହିଛନ୍ତି । ବରୁଣଙ୍କ ଏଭଳି ଟ୍ୱିଟ ପରେ ବିଜେପି ଶିବିରରେ ଭାଳେଣୀ ପଡିଛି ।

ବରୁଣ ଗାନ୍ଧୀ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି କୃଷକମାନେ ଆମ ଲୋକ । ଆମେ ସେମାନଙ୍କ ସହିତ ସମ୍ମାନ ସହକାରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ସେମାନଙ୍କ କଷ୍ଟକୁ ଆମେ ବି ଅନୁଭବ କରିବାର ଆବଶ୍ୟକତା ରହିଛି । ଏଭଳି ବୟାନ ଦେଇଛନ୍ତି ବରୁଣ ଗାନ୍ଧୀ ।

ବରୁଣ ଗାନ୍ଧୀଙ୍କ ଟ୍ୱିଟକୁ ନେଇ ଜୟନ୍ତ ଚୌଧୁରୀ ବି ଏକ ଟ୍ୱିଟ୍ କରିଛନ୍ତି । ଜୟନ୍ତ ଚୌଧୁରୀ ତାଙ୍କ ଟ୍ୱିଟରେ ବରୁଣ ଗାନ୍ଧୀଙ୍କ ବୟାନକୁ ସମର୍ଥନ କରିବା ସହ ବିଜେପି ବିଧାୟକ ଜିତେନ୍ଦ୍ର ସିଂଙ୍କ ଟ୍ୱିଟକୁ ଭତ୍ସନା କରିଛନ୍ତି । ଜିତେନ୍ଦ୍ର ସିଂ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ବରୁଣ ଗାନ୍ଧୀ ଏବେ ଦେଶଦ୍ରୋହୀ ମାନଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରୁଛନ୍ତି ।

କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ୧୦ ମାସ ହେବ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ୟୁପିର ମୁଜାଫରନଗର ଠାରେ କୃଷକମାନଙ୍କ ତରଫରୁ ଏକ ବିଶାଳ ମହା ପଞ୍ଚାୟତର ଆୟୋଜନ କରାଯାଇଛି । ଏହି ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତ ଯୋଗ ଦେଇଥିବା ବେଳେ ଳକ୍ଷ ଲକ୍ଷ କୃଷକ ଏହି ମହାପଂଚାୟତରେ ଯୋଗ ଦେଇଛନ୍ତି ।

ମହାପଂଚାୟତରେ ଯୋଗ ଦେଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ବରୁଣ ଗାନ୍ଧୀଙ୍କ ଏଭଳି ଟ୍ୱିଟ ଏବେ ବିଜେପି ଶିବିରରେ ଭାଳେଣୀ ପକାଇଛି ।