ଇଡି ହେପାଜତରେ ସଂଜୟ ରାୱତ, ଏବେ ସ୍ତ୍ରୀ ବର୍ଷାଙ୍କୁ ଇଡି ପଠାଇଲା ନୋଟିସ । ଜାଣନ୍ତୁ କଣ ରହିଛି ବର୍ଷାଙ୍କ ନାମରେ ମାମଲା

157

କନକ ବ୍ୟୁରୋ : ପାତ୍ରା ଚଂଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଂଜୟ ରାୱତ ଏବେ ଇଡି ହେପାଜତରେ ଅଛନ୍ତି । ତାଙ୍କ କଷ୍ଟଡି ଅବଧି ଆଜି ଇଡିର ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେପଟେ ଆଜି ସଂଜୟ ରାୱତଙ୍କ ପତ୍ନୀ ବର୍ଷା ରାୱତଙ୍କୁ ଇଡି ନୋଟିସ ପଠାଇଛି । ଖୁବଶୀଘ୍ର ବର୍ଷାଙ୍କୁ ଇଡି ଜେରା କରିପାରେ ବୋଲି ଅନୁମାନ କରାଯାଉଛି ।

ଇଡିର କହିବା ମୁତାବକ ପାତ୍ରା ଚଂଲ ପୁନଃବିକାଶ ପରିଯୋଜନାରେ ୧ ହଜାର କୋଟି ଟଙ୍କାର ଦୂୁର୍ନୀତି ହୋଇଛି । ଏନେଇ ଇଡି ଦାବି କରିଛି କି ଏହି ଦୁର୍ନୀତିରେ ସଂଜୟ ରାୱତଙ୍କ ପରିବାର ୧.୦୬ କୋଟି ଟଙ୍କା ଲାଭାନ୍ୱିତ ହୋଇଛି । ଏହାସହ ସଂପୃକ୍ତ ମାମଲାରେ ଜଣେ ମୁଖ୍ୟ ସାକ୍ଷୀଙ୍କୁ ପ୍ରଥମେ ଧମକ ଓ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ମାମଲାରେ ବି ସଂଜୟ ରାୱତଙ୍କ ନାମ ରହିଥିବା କଥା ଇଡି କହିଛି ।

କହିରଖୁ କି ଏହି ମାମଲାରେ ଜୁଲାଇ ୩୧ ତାରିଖ ରବିବାର ଦିନ ଇଡି ତରଫରୁ ସଂଜୟ ରାୱତଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲା । ଦିନମାନ ଚଢାଉ ପରେ ସନ୍ଧ୍ୟାରେ ସଂଜୟଙ୍କୁ ଇଡି ନିଜ ହେପାଜତକୁ ନେଇଥିଲା । ଇଡିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସଂଜୟ କହିଥିଲେ କି ରାଜନୈତିକ ବିରୋଧ କାରଣରୁ ବିରୋଧୀମାନଙ୍କ ଉପରେ ଇଡି ସହାୟତାରେ କେନ୍ଦ୍ର ସରକାର ପ୍ରତିଶୋଧ ନେଉଛନ୍ତି ।