ଆଜି ୪ଟି ଜିଲ୍ଲାରେ ଟିକାକରଣ ବନ୍ଦ : ବଲାଙ୍ଗୀର, ବାଲେଶ୍ୱର, ଢ଼େଙ୍କାନାଳ, ସୋନପୁରକୁ ବାଦ ଦେଇ ୭୦୩ଟି ଅଧିବେସନରେ ଦିଆଯିବ ଟିକା

222

କନକ ବ୍ୟୁରୋ : ଆଜି ବଲାଙ୍ଗୀର, ବାଲେଶ୍ବର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ଯୋଗୁଁ ପୁଣିଥରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆଜି ୭୦୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବୁଧବାର ରାଜ୍ୟରେ ୧୦୧୫ ଟିକାକରଣ ଅଧିବେଶନରେ ୨ଲକ୍ଷ ୬ହଜାର ୬୧୯ଜଣଙ୍କୁ ଟିକା ଦିଆଯାଇଥିଲା । ଏଥିରେ ୧୮-୪୪ବର୍ଗର ୯୮,୬୮୭ଜଣ ପ୍ରଥମ ଓ ୨୩୦୬ଜଣ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୩,୦୦୨ ପ୍ରଥମ ଓ ୮୨,୦୮୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ । ଏହାକୁ ମିଶାଇ ରାଜ୍ୟରେ ୧କୋଟି ୩୦ଲକ୍ଷ ୪୨ହଜାର ୩୪୦ ଡୋଜ୍ ଟିକା ଦିଆଗଲାଣି । ତହିଁରେ ୧୮-୪୪ବର୍ଗର ୧୮ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୩.୫ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଯାଇଛି ।

ରାଜ୍ୟରେ ଏବେ ୨ଲକ୍ଷ ୯୮ହଜାର ୮୧୦ଡୋଜ୍ କୋଭାକ୍ସିନ୍ ଓ ୧ଲକ୍ଷ ୯୦ଜହାର ୩୮୦ ଡୋଜ୍ କୋଭିସିଲ୍‌ଡ ଟିକା ମହଜୁଦ ରହିଛି । ରାଜ୍ୟ ସରକାର ଚଳିତମାସରେ ଅତିରିକ୍ତ ୧୫ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ଦ୍ବିତୀୟ ଡୋଜ୍ ପାଇଁ ୨୮ଲକ୍ଷ ଡୋଜ୍ ଲକ୍ଷ୍ୟ ପୂରଣ ହୋଇପାରିବ ।