୩ ଟଙ୍କାରେ ଜଳଖିଆ ୫ ଟଙ୍କାରେ ପେଟପୁରା ଭୋଜନ! ଉତ୍ତତରପ୍ରଦେଶରେ ଆରମ୍ଭ ହେଲା ଅନ୍ନପୂର୍ଣା କ୍ୟାଂଟିନ୍

57

କନକ ବ୍ୟୁରୋ : ୩ ଟଙ୍କାରେ ଜଳଖିଆ ଆଉ ୫ ଟଙ୍କାରେ ଭୋଜନ । ଉତ୍ତରପ୍ରଦେଶରେ ଆରମ୍ଭ ହେଲା ଅନ୍ନପୂର୍ଣା କ୍ୟାଂଟିନ୍ । କ୍ଷମତାକୁ ଆସିବା ପରଠୁ ନିଜ କାର୍ଯ୍ୟଶୈଳୀ ପାଇଁ ଲଗାତର ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ରାଜ୍ୟବାସୀଙ୍କୁ ଦେଇଛନ୍ତି ଉପହାର । ଅନ୍ନପୂର୍ଣା କ୍ୟାଂଟିନ୍ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ଯୋଗୀ ସରକାର ।

ଏହି କ୍ୟାଂଟିନରେ ୩ ଟଙ୍କାରେ ଜଳଖିଆ ମିଳିବା ସହ ୫ ଟଙ୍କାରେ ପେଟପୂରା ଭୋଜନ ମିଳିବ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ସହ ରାତ୍ରିଭୋଜନ ଅନ୍ନପୂର୍ଣା କ୍ୟାଂଟିନରେ ଉପଲବ୍ଧ ହେବ । ସକାଳ ଜଳଖିଆରେ ଦଲିଆ, ଇଡିଲି-ସମ୍ବର, ପୋହା କିମ୍ବା ଚା-ପକୁଡି ମିଳିବ । ମଧ୍ୟାହ୍ନ ଓ ରାତ୍ରି ଭୋଜନରେ ରୁଟି, ହରଡ ଡାଲି ଓ ପରିବା ତରକାରି ମିଳିବ ।

ଏ ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ଅନ୍ନପୂର୍ଣା କ୍ୟାଂଟିନ୍ ପାଇଁ ପ୍ରସ୍ତୁତ ଯୋଜନାର ପୂର୍ଣ ରୂପରେଖ ମୁଖ୍ୟମନ୍ତ୍ରୀ ନିଜେ ଦେଖିବେ । ରାଜ୍ୟର ସମସ୍ତ ନଗରନିଗମରେ ଏହି କ୍ୟାଂଟିନ୍ ଖୋଲାଯିବ । ବିଶେଷ କରି ଅଧିକ ସଂଖ୍ୟକ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକ ରହୁଥିବା ସ୍ଥାନ ମାନଙ୍କରେ ଖୋଲାଯିବ ଅନ୍ନପୂର୍ଣ୍ଣା କ୍ୟାଂଟିନ୍ ।