ଗ୍ଲେସିୟର ଫାଟିବା ପରେ ତପୋବନର ଉପର ଭାଗରେ ସୃଷ୍ଟି ହୋଇଛି ହ୍ରଦ : ଧିରେ ଧିରେ ବଢୁଛି ଜଳସ୍ତର, ନଦୀ କୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ

129

କନକ ବ୍ୟୁରୋ : ଗ୍ଲେସିୟର ଫାଟିବା ପରେ ତପୋବନର ଉପର ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଛି । ଏହି ହ୍ରଦର ଜଳସ୍ତର ଧିରେ ଧିରେ ବଢ଼ିବାରେ ଲାଗିଛି । ତେବେ ଏହାର ତଳ ମୁଣ୍ଡରୁ ନିର୍ମାଣ ହୋଇଥିବା ବନ୍ଧ ବାଟ ଦେଇ ପାଣିକୁ ନିୟନ୍ତ୍ରିତ ଭାବେ ଛଡାଯାଉଛି । ଏପରି କରାଯିବାର କାରଣ ଯଦି ଅଚାନକ ହ୍ରଦର ପାଣି ଏକାଥର ଅଧିକ ହୋଇଯିବ ଓ ବନ୍ଧରେ ଥିବା ପାଣିରେ ମିଶିଯିବ ତେବେ ତାକୁ ସମ୍ଭାଳିବା କଷ୍ଟକର ହୋଇପଡିବ । ଆଉ ଯଦି ବନ୍ଧ ଭାଙ୍ଗିଲା ତେବେ ତଳ ଅଂଚଳରେ ବ୍ୟାପକ କ୍ଷତି ଘଟାଇବ ।

ଗ୍ଲେସିୟର ଫାଟିବା ପରେ ତଳ ଅଂଚଳରେ ଯେଭଳି ବନ୍ୟା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ବନ୍ଧରେ ପାଣିକୁ ଅଟକାଇ ଦିଆଯାଇଥିଲା । ଏବେ ସେହି ବନ୍ଧର ପାଣିକୁ ଅତି ସତର୍କତାର ସହିତ ଛଡାଯାଉଛି । କାରଣ ତପୋବନର ଉପରମୁଣ୍ଡରେ ଅଧିକ ପାଣି ଜମା ହେବାରେ ଲାଗିଛି । ଅନ୍ୟପଟେ ତଳ ଅଂଚଳରେ ଥିବା ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଋଷିକେଶ ଏବଂ ହରିଦ୍ବାରରେ ଲୋକଙ୍କୁ ଗଂଗା ତଟକୁ ନଯିବା ପାଇଁ ଚେତାବନୀ ଜାରି କରାଯାଇଛି । ହରିଦ୍ବାରରେ କୁମ୍ଭମେଳା ଆୟୋଜନ ପାଇଁ ଭିଡ଼ ଜମିଥିବାରୁ ଲୋକଙ୍କୁ ନିର୍ଦ୍ଧାରିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଆଗାମୀ ୭୨ ଘଣ୍ଟା ମଧ୍ୟରେ ଗଂଗାର ଜଳସ୍ତର ବଢ଼ିବା ଆଶଙ୍କା ଥିବାରୁ ଅଧିକ ସମ୍ବେଦନଶୀଳ ଅଂଚଳରୁ ଗ୍ରାମବାସୀଙ୍କୁ ଖାଲି କରାଯାଇଛି । ଗ୍ଲାସିୟର ଫାଟିବା ପରେ ରାଇନି ଗ୍ରାମ ନିକଟରେ ଋଷିଗଂଗା ତପୋବନ ଜଳବିଦ୍ୟୁତ ପ୍ରକଳ୍ପର ବନ୍ଧ ଭାଙ୍ଗିଯିବାରୁ ବନ୍ୟ ସଙ୍କଟ ଭୟାନକ ରୂପ ନେଇଥିବା ଜଣାପଡ଼ିଛି । ଏହି ବନ୍ଧ ଭାଙ୍ଗିଯିବା ପରେ ଧଉଳି ଗଂଗା ନଦୀରେ ଅଚାନକ ଭୀଷଣ ବନ୍ୟା ଆସିବାରୁ କ୍ଷୟକ୍ଷତି ବଢ଼ିଯାଇଛି । ଚମୋଲି ଜିଲ୍ଲାରେ ଶତାଧିକ ଘର ନିଶ୍ଚିହ୍ନ ହୋଇଯାଇଥିବା ଆଶଙ୍କା କରାଯାଉଛି । ରାଇନିରୁ ଯୋଶୀମଠ ପର୍ଯ୍ୟନ୍ତ ଅଂଚଳରେ ଘଟିଥିବା ବଡ଼ ବିପର୍ଯୟର ଆକଳନ ପାଇଁ ଅନେକ ଦିନ ଲାଗିଯିବ ବୋଲି କୁହାଯାଉଛି ।