ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ : ଭାସିଗଲେ ଶତାଧିକ ଲୋକ; ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ୟମ

ସେପଟେ ପାଣି ବଢ଼ୁଥିବାରୁ ସତର୍କ ରହିବାକୁ ନଦୀ କୂଳିଆ ଲୋକଙ୍କୁ ପରାମର୍ଶ

103

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି କିଛି ଲୋକଙ୍କ ଜୀବନ ଯିବା ସହ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାମରେ ସାମିଲ ଅଛନ୍ତି ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ଉତ୍ତରାଖଣ୍ଡର ହିମସ୍ଖଳନରେ ଯେତେବେଳେ ମାଡି ଆସିଥିଲା ପାଣି ଓ ମାଟି ଅତଡା, ସେତେବେଳେ ଏହି ଟନେଲ ଭିତରେ କାମ କରୁଥିଲେ ଶ୍ରମିକମାନେ । ଭିତରେ କାମ କରୁଥିବା ଲୋକେ କିପରି ଜାଣିବେ ବାହାରେ ପ୍ରକୃତି କେଉଁ ରୂପ ଧାରଣ କରୁଛି । କେତେ ଭୟଙ୍କର ଥିବ ସେହି ସମୟର ଅନୁଭୂତି । ଯେତେବେଳେ ଟନେଲ ଭିତରେ ମାଟି ଓ ପାଣି ପଶି ପୁରା ରୁଦ୍ଧ ହୋଇଯାଇଥିବ ।

ଶ୍ରମିକମାନେ ବାହାରିବାକୁ ବାଟ ପାଇନଥିବେ । ହେଲେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଦେବଦୂତ ଭଳି ପହଂଚିଥିଲେ ଆଇଟିବିପିର ଯବାନ । ଭିତରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ୧୬ରୁ ୧୭ଜଣଙ୍କୁ ଉଦ୍ଧାର କରିଛନ୍ତି ଆଇଟିବିପି ଯବାନ । ଉଦ୍ଧାର ପାଇଥିବା ଶ୍ରମିକଙ୍କ ଖୁସି କହିଲେ ନସରେ । ମୃତ୍ୟୁର ଟନେଲ ଭିତରୁ ସୁରକ୍ଷିତ ବାହାରି ଆସିବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଶ୍ରମିକ । ତେବେ ଆଉ ଏକ ଟନେଲ ଭିତରେ କିଛି ଶ୍ରମିକ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ରାତିରେ ପାଣି ପୁଣି ଥରେ ବଢ଼ିବା କାରଣରୁ ଟନେଲରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।