ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଘଟଣା : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ୍ତ? ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ

143

କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡ ଚାମୋଲିରେ ଦ୍ୱିତୀୟ ଦିନ ପାଇଁ ଚାଲିଛି ଉଦ୍ଧାରକାମ । ଗତକାଲି ପ୍ରକୃତି ଯେଉଁ ତାଣ୍ଡବ ରଚିଛି ସେଥିରେ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଉଦ୍ଧାରକାମରେ ହାତ ମିଳାଇଛନ୍ତି ।

କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ୍ତ ? ମୃତ୍ୟୁ ମୁଖରୁ ଉଦ୍ଧାର ପରେ ଶ୍ରମିକ ମୁହଁରେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ଉତ୍ତରାଖଣ୍ଡ ହିମସ୍ଖଳନ ପରେ ଚମୋଲି ଜିଲ୍ଲାର ତପୋବନରେ ଥିବା ଶୁଡଙ୍ଗରେ ଫସି ଯାଇଥିଲେ କିଛି ଶ୍ରମିକ । ଅଚାନକ ମାଡିଆସିଲା ପାଣି । ଲୋକେ ଧାଁ, ଧଉଡ ଆରମ୍ଭ କରିଦେଲେ । ଟନେଲରେ କାମ କରୁଥିବା ଶ୍ରମିକମାନଙ୍କୁ ତୁରନ୍ତ ବାହାରି ଆସିବା ପାଇଁ କହିଥିଲେ । ହେଲେ ପ୍ରାୟ ୩ଶ ମିଟର ଭିତରେ ଥିବା ଶ୍ରମିକମାନେ କିଛି ବୁଝିବା ଆଗରୁ ଟନେଲରେ ଭର୍ତ୍ତି ହୋଇଗଲା ପାଣି ।

ଧିରେଧିରେ ଜଳସ୍ତର ବଢୁଥାଏ । ଆଉ ଜୀବନ ବଂଚାଇବା ପାଇଁ ଏହି ଶ୍ରମିକମାନେ କେବଳ ନିଜ ମୁହଁକୁ ପାଣିରୁ ବାହାରେ ରଖିବା ପାଇଁ ଟନେଲର ସିଲିଂରେ ଥିବା ଲୁହା ରଡକୁ ଧରି ଝୁଲିପଡିଥିଲେ । ଦୀର୍ଘ ସମୟ ଧରି ଏହିଭଳି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ପରେ ଦେବଦୂତ ଭଳି ପହଂଚିଥିଲେ ଆଇଟିବିପିର ଯବାନ । ଆଉ ଉଦ୍ଧାର ହେଲେ ସମସ୍ତ ୧୬ ଜଣ ଶ୍ରମିକ । ଉଦ୍ଧାର ପାଇଥିବା ଶ୍ରମିକ କହିଛନ୍ତି ସେହି ସମୟର ଅନୁଭୂତି ।