ଉତ୍ତରାଖଣ୍ଡରେ କଂଗ୍ରେସ ହେଉଛି ମଜବୁତ, ୬ ବର୍ଷ ପରେ ଦଳକୁ ଫେରିଲେ ଏହି ଟାଣୁଆ ନେତା

138

କନକ ବ୍ୟୁରୋ : ଦେଶରେ ୫ ଟି ରାଜ୍ୟରେ ଆଗକୁ ରହିଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜନୈତିକ ଦଳର ନେତାମାନଙ୍କ ଦଳ ବଦଳ ଓ କ୍ଷମତା କନ୍ଦଳ ଦେଖି ଭୋଟରମାନେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି । ଏହି କ୍ରମରେ ୬ ବର୍ଷ ତଳେ ଉତ୍ତରାଖଣ୍ଡରେ କଂଗ୍ରେସ ସରକାରକୁ ଭାଙ୍ଗି ବିଜେପିରେ ଯୋଗ ଦେଇଥିବା ହରକ ସିଂ ରାୱତ ପୁଣିଥରେ କଂଗ୍ରେସକୁ ଫେରିଛନ୍ତି । ୫ ଦିନ ତଳେ ବିଜେପି ତାଙ୍କୁ ଦଳରୁ ବହିସ୍କାର କରିଥିବା ବେଳେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ସିଂ ରାୱତଙ୍କ ବିରୋଧ ଯୋଗ ହରକ ସିଂ କଂଗ୍ରେସରେ ଯୋଗ ଦେଇପାରୁ ନଥିଲେ । ଶେଷରେ ଆଜି ହରକ ସିଂ ହରିଶ ସିଂ ରାୱତଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । କେବଳ ହରକ ସିଂ ନୁହଁନ୍ତି ତାଙ୍କ ବୋହୂ ଅନୁକୃତି ଗୋସାଇ ବି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଏନେଇ ହରକ ସିଂ ଗଣମାଧ୍ୟମକୁ କହିଛନ୍ତି କି, ସେ ୬ ବର୍ଷ ପୂର୍ବେ ଏହି କାରଣରୁ ବିଜେପିରେ ଯୋଗ ଦେଇଥିଲେ କି ଡବଲ ଇଂଜିନ ସରକାର ରହିଲେ ରାଜ୍ୟରେ ବିକାଶ ହେବ ଓ ଲୋକମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହୋଇପାରିବେ । ହେଲେ ୬ ବର୍ଷ ମଧ୍ୟରେ ଲୋକଙ୍କ ବିକାଶରେ ବିଜେପି ସହଯୋଗ କରିପାରି ନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି ଦଳରେ ସେ ଅସହାୟ ହୋଇପଡିଥିବା କଥା ବି କହିଛନ୍ତି । ଏହାସହ ସେ ଆଗାମୀ ଦିନରେ କେବଳ ବିଜେପିକୁ ପରାସ୍ତ କରିବାକୁ ପ୍ରୟାସ କରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।