ଟିକାୟତଙ୍କ ଟାର୍ଗେଟରେ ଯୋଗୀ ସରକାର, ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ କହିଲେ ଏଭଳି କଥା

106

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନର ଚର୍ଚ୍ଚିର୍ତ ଚେହେରା ତଥା ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ପୁଣିଥରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ଆଗାମୀ ଅଢେଇ ମାସ ପର୍ଯ୍ୟନ୍ତ ହିନ୍ଦୁ-ମୁସଲିମ ଓ ଜିନ୍ନାଙ୍କ ଭୂତ ସବାର ହୋଇ ରହିବ । ଅନ୍ୟପଟେ ସେ ଭୋଟରମାନଙ୍କୁ ସଚେତନ କରିବାକୁ ଯାଇ କହିଛନ୍ତି କି ସରକାର ଆଗାମୀ ଅଢେଇମାସ ପର୍ଯ୍ୟନ୍ତ ଏସବୁ ଉପରେ ପ୍ରବଚନ ଦେବେ କିନ୍ତୁ ଭୋଟରମାନେ ଏହି ପ୍ରବଚନରେ ବଶବର୍ତ୍ତି ନହୁଅନ୍ତୁ ।

କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ରବିବାର ଦିନ ଅଲିଗଡଠାରେ ଏକ ବିବାହ ସମାରୋହରେ ସାମିଲ ହୋଇଥିଲେ । ଏହି ସମୟରେ ଗଣମାଧ୍ୟମ ଯେତେବେଳେ କୃଷକମାନଙ୍କ ଭୋଟ କୁଆଡେ ଯିବ ବୋଲି ପ୍ରଶ୍ନ ପଚାରିଥିଲେ ତାର ଉତ୍ତରରେ ସେ କହିଥିଲେ କି, ୧୩ ମାସ ଧରି ଦିଲ୍ଲୀରେ କୃଷକମାନେ ଟ୍ରେନିଂ ନେବା ପରେ ଏବେ ଯଦି କହିବାକୁ ପଡିବ ଆମର ଗତି କୁଆଡେ ତାହେଲେ ଏକଥା ବୁଝିବାକୁ ପଡିବ କି, ଟ୍ରେନିଂରେ କିଛି ତୃଟି ରହିଛି ।

ଅନ୍ୟପଟେ କୃଷକଙ୍କ ଉର୍ଦ୍ଦେଶ୍ୟରେ ଟିକାୟତ କହିଛନ୍ତି କି ଅଧା ଦାମରେ ଫସଲ ବିକ୍ରି କରି ଯଦି କୃଷକମାନେ ଜାଣି ପାରିବେ ନାହିଁ ବାକି ଅଧାଦାମ ତାଙ୍କର କିଏ ଲୁଟୁଛି ତେବେ ମୋର କିଛି କହିବାର ନାହିଁ । ହେଲେ କୃଷକମାନେ ଅତ୍ୟନ୍ତ ଚାଲାକ ଓ ସେମାନଙ୍କ ଠିକ ଦଳକୁ ଭୋଟ ଦେବେ ବୋଲି ଟିକାୟତ କହିଛନ୍ତି ।

କେବଳ ସେତିକି ନୁହେଁ ଟିକାୟତ କହିଛନ୍ତି କି କାହାର ବି ସରକାର ଆସୁ କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ କୃଷକମାନେ ଜାନୁଆରୀ ୩୧ ତାରିଖରେ ବିରୋଧ ପ୍ରଦର୍ଶନ କରିବେ । ଏହାସହ ଖେରି ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ଗିରଫ ନକରାଯିବା ଉପରେ ସେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି ଓ ଖୁବଶୀଘ୍ର ଖେରି ପହଂଚି ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ।