ମାଲକାନଗିରିର ୬୦ଟି ଗାଁରେ ଶୋଷ ମେଂଟାଇବେ ଯୁବ ବ୍ୟବସାୟୀ ଉତ୍ତମ ମଲ୍ଲିକ ! ନିଜ ଖର୍ଚ୍ଚରେ ତିଆରି କଲେ ୧୫ ଜଳ ଯୋଗାଣ ପ୍ରକଳ୍ପ

69

କନକ ବ୍ୟୁରୋ : ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଥିବା ସହ ଆଇରନ ପାଣି ଯୋଗୁ ପ୍ରତି ବର୍ଷ ଶହ ଶହ ଲୋକ କିଡନୀ ରୋଗରେ ପିଡିତ ହୋଇ ଜୀବନ ହାରିଥାନ୍ତି । ତେଣୁ ଗାଁ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ଯୁବ ବ୍ୟବସାୟୀ । ନିଜ ଖର୍ଚ୍ଚରେ ବୋରୱେଲ ଖୋଳି ସେଥିରେ ୱାଟର ପ୍ୟୁରିଫାଏର ବସାଇ ଲୋକଙ୍କୁ ଜଳଦାନ କରିବାକୁ ଆଗେଇ ଆସିଛନ୍ତି । ମାଲକାନଗିରି ନିପଟ ମଫସଲ ଗାଁର ଯୁବ ବ୍ୟବସାୟୀ ଉତ୍ତମ ମଲ୍ଲିକଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ମାଲକାନଗିରି ଜିଲ୍ଲା କାଙ୍ଗୋରୁକୋଣ୍ଡା ପଂଚାୟତର ସାଲମାରୀକୋଣ୍ଡା ଗାଁ । ଗାଁରେ ବସବାସ କରନ୍ତି ପ୍ରାୟ ୨ଶହ ଆଦିବାସୀ ପରିବାର । ତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସବୁ ପ୍ରକଳ୍ପ ଏଠି ଫେଲ । କେବଳ ଦୁଇଟି ଟ୍ୟୁବୱେଲ ଉପରେ ଆଦିବାସୀଙ୍କ ଭରସା । ସେଥିରେ ପୁଣି ଆଇରନ ଯୁକ୍ତପାଣି । ତେବେ ସାଲମାରିକୋଣ୍ଡା ଗ୍ରାମବାସୀଙ୍କ ଲାଗି ଜଳଦୂତ ହୋଇ ଆସିଛନ୍ତି ସମାଜ ସେବୀ ଉତ୍ତମ ମଲ୍ଲିକ । ଗାଁ ରେ ଏକ ବୋରୱେଲ ଖୋଲି ସେଥିରେ ଓାଟର ପ୍ୟୁରିଫାଏର ବସେଇବାର ବିଡା ଉଠାଇଛନ୍ତି ଉତ୍ତମ ମଲ୍ଲୀକ । କେବଳ ସାଲମାରୀକୋଣ୍ଡା ନୁହଁ ମାଲକାନଗିରି ଜିଲ୍ଲାର ସିମିଳିବାଂଛା, ଗୋରଖପାଲି, ବାଲମପାଲି, ଟିଗେଲ, କୁନାନପାଲି, ସୋନାଲିଗ୍ରାମ, ଏମ.ଭି ୭୨ ସହ ୧୫ ଟି ଗାଁ ରେ ଏମିତି ଓାଟର ପ୍ୟୁରିଫାୟର ନିର୍ମାଣ କରିବାର ବିଡା ଉଠାଇଛନ୍ତି ଉତ୍ତମ ମଲ୍ଲୀକ । ଉତ୍ତମ ମଲ୍ଲିକଙ୍କ ଏପରି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୫୦ ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ ରହିଛି । ହେଲେ ସେଗୁଡିକର ଅବସ୍ଥା ନ କହିବା ଭଲ । ଲୋକେ ନଇ ନାଳ ଓ ଚୁଆ ପାଣି ପିଇ ଶୋଷ ମେଂଟାଇବାର ନଜିର ମଧ୍ୟ ରହିଛି । ସେହି ପରି ଟ୍ୟୁବୱେଲର ଲୌହ ଯୁକ୍ତ ପାଣି ପିଇ ପ୍ରତି ବର୍ଷ ୫୦୦ ଉର୍ଦ୍ଧ ଲୋକ କିର୍ନୀ ରୋଗରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ କଳ ଏ ଦିଗରେ ଚିନ୍ତା କରୁ ନ ଥିବା ବେଳେ ଲୋକଙ୍କୁ ପ୍ୟୁରିଫାଏର ଯୋଗେ ବିଶୁଦ୍ଧ ପାଣୀ ଯୋଗାଇବା ଉଦ୍ୟମ ଆରମ୍ଭ କରିଛନ୍ତି ସମାଜ ସେବୀ ତଥା ଯୁବ ବ୍ୟବସାୟୀ ଉତମ ମଲ୍ଲୀକ । ପ୍ରତିଟି ପ୍ୟୁରିଫାଏର ଲାଗି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୫ ଟି ପ୍ୟୁରିଫାଏର ଯୋଗେ ପ୍ରାୟ ୬୦ ଗାଁ ର ଲୋକେ ଉପକୃତ ହେବା ବୋଲି କହିଛନ୍ତି ଉତ୍ତମ । ପୂର୍ବରୁ ନିଜ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ସାଂସଦ ଓ ବିଧାୟକଙ୍କୁ ନିଜ ଗାଁକୁ ନେଇ ରାସ୍ତା ଓ ପୋଲ ନିର୍ମାଣ ଦାବୀ ଉପସ୍ଥାପନ କରି ଚର୍ଚ୍ଚା ସାଉଁଟି ଥିଲେ ଉତ୍ତମ । ଏବେ ଉତ୍ତମଙ୍କ ଜଳଦୂତ ବେଶକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।