ଋଷକୁ ଆମେରିକାର ଧମକ । ୟୁକ୍ରେନ୍ ଉପରେ ଆକ୍ରମଣ ନକରିବାକୁ କଡା ଚେତାବନୀ ।

202

କନକ ବ୍ୟୁରୋ: ୟୁକ୍ରେନ୍ ପ୍ରସଙ୍ଗକୁ ନେଇ ଆମେରିକା ଓ ଋଷ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ବାରମ୍ବାର ଅନୁରୋଧ ସତ୍ତେ୍ୱ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତି ଜାରି ରଖିଥିବାରୁ ଆମେରିକା ଋଷକୁ କଡା ଚେତାବନୀ ଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ଋଷ ସେନା ଯଦି କୌଣସି ଆକ୍ରାମକ ଢଙ୍ଗରେ ୟୁକ୍ରେନ୍ ସୀମା ମଧ୍ୟରେ ମାତ୍ର ଗୋଟିଏ ପାଦ ବି ପ୍ରବେଶ କରେ, ତେବେ ଆମେରିକା ଏହାର କଡା ଯବାବ ଦେବ । କେବଳ ଆମେରିକା ନୁହେଁ ଏକାଧିକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ବ୍ଲିଙ୍କେନ୍ ।

ସୂଚନା ମୁତାବକ, ଆମେରିକା, ବ୍ରିଟେନ୍ ଓ ଅନ୍ୟ ୟୁରୋପୀୟ ଦେଶ ଗୁଡିକ ଋଷକୁ ୟୁକ୍ରେନ୍ ଉପରେ ଆକ୍ରମଣ ନକରିବାକୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି । କିନ୍ତୁ ଏହାକୁ ଭ୍ରୁକ୍ଷେପ କରୁନାହିଁ ଋଷ । ନିଜ ଜିଦରେ ଅଟଳ ରହି ୟୁକ୍ରେନ୍ ସୀମାରେ ନିଜ ସେନାକୁ ମୁତୟନ କରିଛି ଋଷ । ଯୁଦ୍ଧ ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଦେଶର ପ୍ରାୟ ଦେଢଲକ୍ଷ ସୈନ୍ୟ ୟୁକ୍ରେନ୍ ସୀମା ଅଞ୍ଚଳରେ ପ୍ରସ୍ତୁତ ହୋଇ ରହିଛନ୍ତି । ଯେ କୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏଭଳି ସ୍ଥିତିରେ ଆମେରିକା ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ଆହୁରି ସ୍ପଷ୍ଟ କରିବାକୁ ଯାଇ ଋଷକୁ ଖୋଲା ଚେତାବନୀ ଦେଇଛି ।

ଋଷ ଉପରେ ଆର୍ଥିକ କଟକଣା କରାଯାଇପାରେ ବୋଲି ଏକ ପ୍ରଶ୍ନର ଉତ୍ତରପରେ କହିଛନ୍ତି ବ୍ଲାଙ୍କେନ । ଯଦିଓ ଏଭଳି ଗୁରୁତର ପଦକ୍ଷେପ ନେବା ସପକ୍ଷରେ ଆମେରିକା ନାହିଁ କିନ୍ତୁ ଋଷର ଜିଦକୁ ପ୍ରତିହତ କରିବାକୁ ଏହା ଉଚିତ । ଏନେଇ ପୂର୍ବରୁ ଋଷକୁ ସଙ୍କେତ ଦିଆଯାଇଛି । ୟୁକ୍ରେନ ଉପରେ ଆକ୍ରମଣ କଲେ ଋଷକୁ ଭୟାବହ ପରିଣତି ଭୋଗ କରିବାକୁ ପଡିବ ବୋଲି ପୂର୍ବରୁ କୁହାଯାଇଛି । ଏହା ପରେ ବି ଯଦି ଋଷ ଆକ୍ରମଣ କରେ ତେବେ ଆମେରିକା ଏହାର ଜୋରଦାର ଜବାବ ଦେବ ବୋଲି ବ୍ଲିଙ୍କେନ ସ୍ପଷ୍ଟ କରିଛନ୍ତି ।