ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

220

କନକ ବ୍ୟୁରୋ: ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୃଷ୍ଣସାଗର ଉପରେ ଋଷର ଦୁଇଟି ଜେଟ୍, ଆମେରିକାର ଏକ ଡ୍ରୋନ୍ ମାରି ଖସାଇ ଦେଇଛି । ଫଳରେ ଡ୍ରୋନ୍ଟି କୃଷ୍ଣ ସାଗରରେ ଖସି ପଡ଼ିଛି । ଆମେରିକା ସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି ।

କୁହାଯାଇଛି ଯେ, କୃଷ୍ଣ ସାଗର ଉପରେ ସବୁଦିନ ଭଳି ମାନବବିହୀନ ଡ୍ରୋନ୍ ଏମକ୍ୟୁ-ନାଇନ୍ ପାଟ୍ରୋଲିଂ କରୁଥିଲା । ଋଷର ଦୁଇଟି ସୁଖୋଇ-୨୭ ଯୁଦ୍ଧ ବିମାନ ମଧ୍ୟ ନିଜ ସୀମା ମଧ୍ୟରେ ପାଟ୍ରୋଲିଂ କରୁଥିଲେ । ହେଲେ ୠଷର ଜେଟ୍ ଡ୍ରୋନ୍ ସମ୍ମୁଖକୁ ଚାଲିଆସିଥିଲା । ଜେଟର ୱିଙ୍ଗ ଡ୍ରୋନ୍ରେ ବାଜିବା ଯୋଗୁ ଡ୍ରୋନ୍ କ୍ଷତିଗ୍ରସ୍ତ ହୋଇଛି । ଋଷ ଜାଣିଶୁଣି ଏପରି କରିଥିବା କହିଛି ଆମେରିକା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ସୂଚନା ଅନୁସାରେ ଆମେରିକା ଡ୍ରୋନକୁ ୪୦ ମିନିଟ୍ ଧରି ଘେରିଲା ଋଷ ବିମାନ । ପରେ ଏହାକୁ ମାରି ଖସାଇଦେଇଥିବା ଅଭିଯୋଗ କରିଛି ଆମେରିକା । ପେଣ୍ଟାଗନ୍ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛି ।

ସେପଟେ କ୍ରେମଲିନ୍ କହିଛି, ଗୁଇନ୍ଦାଗିରି ଉଦ୍ଦେଶ୍ୟରେ କୃଷ୍ଣ ସାଗର ଉପରେ ଡ୍ରୋନ୍ ଉଡାଇଥିଲା ଆମେରିକା । ୟୁକ୍ରେନ୍ – ରୁଷିଆ ଯୁଦ୍ଧ ଭିତରେ ବିବାଦରେ ରହିଛି କୃଷ୍ଣ ସାଗର । ଆଉ ଆମେରିକା ଏହି ବିବାଦରୁ ଦୂରରେ ରହୁ ବୋଲି ଚେତାବନୀ ଦେଇଛି କ୍ରେମଲିନ୍ । ଆମେରିକାର ମାନବ ବିହୀନ ଡ୍ରୋନ୍ ଖସି କୃଷ୍ଣ ସାଗରରେ ପଡିଛି । ରିମୋଟ୍ ଦ୍ୱାରା ଡ୍ରୋନ୍ ପରିଚାଳିତ ହୁଏ । ନଷ୍ଟ ହୋଇଥିବା ଡ୍ରୋନକୁ ଉଦ୍ଧାର କରାଯିବ ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଏହି ଡ୍ରୋନରେ ରହିଛି ଅନେକ ଗୁପ୍ତ ତଥ୍ୟ, ଯାହା ଶତ୍ରୁ ହାତରେ ଲାଗିଲେ ଅନେକ ସମସ୍ୟା ଆସିପାରେ । ସେପଟେ ଆମେରିକାର ଯେଉଁ ଡ୍ରୋନ୍କୁ ରୁଷିଆ ସେନା ମାରି ନଷ୍ଟ କରିଛି ସେହି ଡ୍ରୋନ୍ ଆମେରିକା ଠାରୁ କିଣୁଛି ଭାରତ । ଏମକ୍ୟୁ – ନାଇନ୍ର ଅପଗ୍ରେଡ୍ ଭର୍ସନ୍ ଡ୍ରୋନ୍ ଭାରତ, ଆମେରିକା ଠାରୁ କ୍ରୟ କରୁଥିବା ସୂଚନା ରହିଛି ।