ଇଣ୍ଟରଭ୍ୟୁରେ ଉର୍ବଶୀ ନେଲେ ‘ମିଷ୍ଟର ଆରପି’ଙ୍କ ନାଁ । ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଏମିତି ଲେଖିଲେ ରିଷଭ ପନ୍ତ?

381

କନକ ବ୍ୟୁରୋ : ଅନେକ ସମୟରେ କ୍ରିକେଟର-ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥାଏ । ଏପରିକି ଅନେକ କ୍ରିକେଟର ଓ ବଲିଉଡ ଅଭିନେତ୍ରୀ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି । କୋହଲି-ଅନୁଷ୍କା, ଜାହିର-ସାଗରିକା, ଯୁବରାଜ-ହେଜଲଙ୍କ ବିବାହ କରିଥିବା ବେଳେ କେ.ଏଲ ରାହୁଲ ଓ ଆଥିୟାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ସରଗରମ ରହିଛି । ଆଉ ଏସବୁ ଭିତରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ଓ ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସତ୍ୟତା କେତେ ରହିଛି ତାହା ଏବେ ବି ଅସ୍ପଷ୍ଟ । ଉଭୟଙ୍କୁ ନେଇ ଅନେକ ସମୟରେ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଏକ ଇଣ୍ଟରଭ୍ୟୁରେ ଉର୍ବଶୀଙ୍କ ‘ମିଷ୍ଟର ଆରପି’ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଅନ୍ୟପଟେ ଉର୍ବଶୀଙ୍କ ଏହି କମେଣ୍ଟ ଉପରେ ରିଷଭ ପନ୍ତ ଜବାବ ଦେଇଥିବାର ସ୍କ୍ରିନସଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଇଣ୍ଟରଭ୍ୟୁରେ ଉର୍ବଶୀ କହିଥିଲେ, ଥରେ ବାରଣାସୀରୁ ଦିଲ୍ଲୀକୁ ସୁଟିଂ ପାଇଁ ଆସିଥିଲି । ସେତେବେଳେ ମିଷ୍ଟର ଆରପିଙ୍କୁ ଭେଟିବାକୁ ଆସିଥିଲେ । ଲବିରେ ଦୀର୍ଘ ସମୟ ଧରି ସେ ଅପେକ୍ଷା କରିଥିଲେ । କିନ୍ତୁ ମୁଁ ଶୋଇ ଯାଇଥିଲି । ପରେ ଏ ବାବଦରେ ଜାଣିବା ପରେ ମୋବାଇଲରେ ୧୭ଟି ମିସକଲ ଥିବା ଦେଖିବାକୁ ମିଳିଥିଲା । ସେତେବେଳେ ତାଙ୍କୁ କହିଥିଲି ମୁମ୍ବାଇ ଆସିଲେ ଭେଟ ହେବ ବୋଲି । କିନ୍ତୁ ସେତେବେଳକୁ ଏହି ସବୁ କଥା ମିଡିଆକୁ ଆସିଥିଲା । ଉର୍ବଶୀଙ୍କ ଏହି ଇଣ୍ଟରଭ୍ୟୁ ଭାଇରାଲ ହେବା ପରେ ମିଷ୍ଟର ଆରପିର ଅର୍ଥ ରିଷଭ ପନ୍ତ ବୋଲି ଚର୍ଚ୍ଚା ହେଲା । କାରଣ ଏହାପୂର୍ବରୁ ମଧ୍ୟ ଅନେକଥର ଉଭୟଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା । ଏସବୁ ଭିତରେ ରିଷଭ ପନ୍ତଙ୍କ ଏକ ସ୍କ୍ରିନସଟ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମ ଷ୍ଟୋରୀରେ ରିଷଭ କିଛି ସମୟ ପାଇଁ ଏହି ଷ୍ଟୋରୀ ପୋଷ୍ଠ କରିବା ପରେ ଏହାକୁ ଡିଲିଟ୍ କରିଥିଲେ ।

ରିଷଭ ପନ୍ତ ମେସେଜରେ ଲେଖିଥିଲେ ଯେ, କିଛି ଲୋକ ମଜା ପାଇଁ ଇଣ୍ଟରଭ୍ୟୁରେ ମିଛ କହିଥାନ୍ତି । ଯେପରି ଗଣମାଧ୍ୟମର ଶିରୋନାମାରେ ରହିପାରିବେ ସେଥିପାଇଁ ଏଭଳି କରିଥାନ୍ତି । ଲୋକପ୍ରିୟତା ପାଇଁ ଲୋକେ କିଭଳି ଏମିତି କରିପାରନ୍ତି? ଏହାସହ ରିଷଭ ଲେଖିଥିଲେ ପଛ ଛାଡିଦିଅ ଭଉଣୀ, ମିଛ କହିବାର ବି ସୀମା ଥାଏ । ଆଉ ପନ୍ତଙ୍କ ଏହି ସ୍କ୍ରିନସଟ ଭାଇରାଲ ହେବା ପରେ ପୂର୍ବରୁ ହେଉଥିବା ଚର୍ଚ୍ଚାରେ ଏକପ୍ରକାର ବିରାମ ଲାଗିଥିବା କୁହାଯାଉଛି ।