ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ମୋଦି ସରକାରଙ୍କ ସହ ମନୋମାଳିନ୍ୟ ନେଇ ଲାଗି ରହିଥିଲା ବିବାଦ

678

କନକ ବ୍ୟୁରୋ: ଇସ୍ତଫା ଦେଲେ ଆରବିଆଇ ଗଭର୍ଣ୍ଣର । ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ବ୍ୟକ୍ତିଗତ କାରଣ ଦର୍ଶାଇ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଉର୍ଜିତ ।  ତେବେ ଆରବିଆଇରେ କାମ କରିବା ମୋ ପାଇଁ ସମ୍ମାନର କଥା  ବୋଲି ଇସ୍ତଫା ଦେବା ପରେ କହିଛନ୍ତି ଉର୍ଜିତ ପଟେଲ ।

ଉଲ୍ଲେଖ ଥାଉ କି, ଗତ କିଛି ଦିନ ଧରି କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଲାଗିରହିଛି । ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ବେଳେ ଏହାକୁ ନେଇ ସରକାରଙ୍କ ସହ ମତଭେଦ ବଢିବାରେ ଲାଗିଥିଲା । ହେଲେ ଏହା ସତ୍ୱେ ବି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର‌୍ୟ୍ୟକାଳ ସମ୍ପୂର୍ଣ୍ଣ କରିବେ ବୋଲି କିଛି ଦିନ ଖବର ଆସିଥିଲା। ତାଙ୍କୁ ପଦରୁ ହଟାଇବା ନେଇ ସରକାର କୌଣସି ଚିନ୍ତା କରୁନାହାନ୍ତି ବୋଲି ସୂଚନା ମଧ୍ୟ ମିଳିଥିଲା । ତେବେ ଅଗଷ୍ଟ ମାସରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ କାର‌୍ୟ୍ୟକାଳ ଶେଷ ହେବ । ସେ ଅଗଷ୍ଟ ମାସ ପର‌୍ୟ୍ୟନ୍ତ କାର‌୍ୟ୍ୟରେ ରହିବେ ବୋଲି କିଛିଦିନ ତଳେ ଖବର ଆସିଥିଲା । ହେଲେ ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦବରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ବ୍ୟାଙ୍କ ଗୁଡିକର ଏନପିଏ ସମସ୍ୟା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବ୍ୟାଙ୍କ ଗୁଡିକ ମନଇଚ୍ଛା ଋଣ ଦେଇଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା । ରିଜର୍ଭ ବ୍ୟାଙ୍କ ମଧ୍ୟ ଏସବୁକୁ ଅଣଦେଖା କରିଛି ବୋଲି କହିଥିଲେ ଜେଟଲୀ । ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ କ୍ରମଶଃ ବଢିବାରେ ଲାଗିଥିଲା। ଯେଉଁଥି ପାଇଁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା ।