କନକ ବ୍ୟୁରୋ : ଇତିହାସ ରଚିବ ଉତ୍ତରପ୍ରଦେଶ ବିଧାନସଭାର ଚଳିତ ଅଧିବେଶନ । ଗୁରୁବାର ଉତ୍ତରପ୍ରଦେଶ ବିଧାନସଭା ଇତିହାସରେ ପ୍ରଥମଥର ଉଭୟ ଗୃହ ମହିଳାଙ୍କ ନାଁରେ ରହିବ । ଅର୍ଥାତ୍ ଆଜି ଗୃହରେ କେବଳ ମହିଳା ବିଧାୟକମାନେ ସେମାନଙ୍କର ମତ ସାବ୍ୟସ୍ତ କରିବେ ଏବଂ ମହିଳାଙ୍କର ବିଭିନ୍ନ ପ୍ରସଙ୍ଗ ଉଠାଇବେ । ପ୍ରଶ୍ନକାଳ ପରେ କେବଳ ମହିଳା ବିଧାୟକମାନେ ଗୃହରେ ବ୍ୟକ୍ତବ୍ୟ ରଖିପାରିବେ । ଯଦିଓ ଆଜି ସବୁ ବିଧାୟକ ଉପସ୍ଥିତ ରହିବେ, କିନ୍ତୁ ମହିଳା ସଦସ୍ୟଙ୍କ କହିବାର ସୁଯୋଗ ମିଳିବ ।

Advertisment

ସ୍ୱାଧୀନତା ପରେ ପ୍ରଥମଥର ମହିଳା ବିଧାୟକମାନଙ୍କୁ ଉଭୟ ଗୃହରେ ଖୋଲାଖୋଲି କହିବାର ସୁଯୋଗ ଦିଆଯାଉଛି । ୟୁପି ବିଧାନସଭା ନିର୍ବାଚନରେ ସର୍ବାଧିକ ୪୭ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ବିଜୟୀ ହୋଇଥିଲେ । ଏହା ପୂର୍ବରୁ ଏତେ ସଂଖ୍ୟକ ମହିଳା ବିଧାୟକ କେବେବି ବିଧାନସଭାକୁ ଆସିନଥିଲେ । ଏହି କାରଣରୁ ୟୁପି ରାଜନୀତିରେ ମହିଳା ବିଧାୟକଙ୍କ ବାଚସ୍ପତି, ଅଧ୍ୟକ୍ଷ, ଦଳୀୟ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ ଦେବାକୁ କୌଣସି ରାଜନୈତିକ ଦଳ ଉଦ୍ୟମ କରିନଥିଲେ । କଂଗ୍ରେସ ତା’ର ମହିଳା ନେତ୍ରୀ ମହିଳା ବିଧାୟକ ଭାବେ ନିଯୁକ୍ତି ଦେଇ ଏ ଦିଗରେ ପଦକ୍ଷେପ ନେଇଥିଲା ।

ଯାହା ପରେ ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ବିଧାନସଭା ବାଚସ୍ପତି ସତୀଶ ମହାନା ମହିଳା ବିଧାୟକଙ୍କ ନାଁରେ ଗୃହର କାର୍ଯ୍ୟକୁ ପୂରାଦିନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ୟୁପି ବିଧାନସଭା ବଦଳୁଥିବାରୁ ମହିଳାମାନେ ନିଜ ଦାୟିତ୍ୱ ବଢ଼ାଇବାକୁ ଚାହୁଁଥିବା କହିଛନ୍ତି ସତୀଶ ମହାନା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେପ୍ଟେମ୍ବର ୨୨ ତାରଖରେ କେବଳ ମହିଳାମାନଙ୍କୁ ପ୍ରିଜାଇଡିଂ ଅଧିକାରୀ ଭାବେ ନିଯୁକ୍ତି କରିବାକୁ ସେ ଅନୁରୋଧ କରିଛନ୍ତି ।