ଦିଲ୍ଲୀ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଆଜିଠାରୁ କୋହଳ ହେଲା କୋଭିଡ କଟକଣା । ଜାଣନ୍ତୁ କେଉଁଠି କଣ ଖୋଲା କଣ ବନ୍ଦ

247

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ନଜରରେ ରଖି କିିଛି ରାଜ୍ୟସରକାର କରୋନା କଟକଣାରେ କୋହଳ କରିଛନ୍ତି । ଏହି କ୍ରମରେ ଦିଲ୍ଲୀରେ ଆଜିଠାରୁ ଜିମ୍ ଓ ଯୋଗ ଇନଷ୍ଟିଚ୍ୟୁଟ୍ ଖୋଲିବାକୁ ଅନୁମତି ମିଳିଛି । ଏହାସହ ରାଜସ୍ଥାନରେ ଧାର୍ମିକ ସ୍ଥଳକୁ ଲୋକମାନଙ୍କ ଯିବା ଆସିବାକୁ ଅନୁମତି ଦେଇଛନ୍ତି ରାଜସ୍ଥାନ ସରକାର । ହେଲେ ଏବେ ବି କିଛି ରାଜ୍ୟ ରହିଛି ଯେଉଁଠାରେ ଏବେବି ସମ୍ପୂର୍ଣ୍ଣ କଟକଣା ଜାରି ରହିଛି ।

ଦିଲ୍ଲୀ : କରୋନା ସଂକ୍ରମଣ ହ୍ରାସକୁ ନଜର କରି ଦିଲ୍ଲୀ ସରକାର ସୋମବାର ଠାରୁ ହୋଟେଲ,କଲ୍ୟାଣ ମଣ୍ଡପ,ଜିମ୍ ସେଣ୍ଟର ଖୋଲିବାକୁ ଅନୁମତି ଦେଇଛନ୍ତି । ଏବେ ଏହି ସବୁ ସ୍ଥାନଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଖୋଲଯାଇ ପାରିବ । ଏହାସହ ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିପାରିବ । ଅନ୍ୟପଟେ ମନୋରଂଜନ ପାର୍କ, ସ୍ପା, ସ୍ୱିମିଂପୋଲ, ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବା ନେଇ ଅନୁମତି ମିଳିନାହିଁ ।

ମଧ୍ୟପ୍ରଦେଶ : ରାଜ୍ୟରେ କରୋନା କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ନାଇଟ୍ କର୍ଫ୍ୟୁ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତଣାଧିନ ରହିଛି । ୩୫ ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ନାହିଁ । ରାଜ୍ୟରେ ଦୈନିକ ସଂକ୍ରମଣ ୧ ହଜାର ମଧ୍ୟରେ ରହିଛି ।

ରାଜସ୍ଥାନ: ରାଜସ୍ଥାନରେ କିଛି ସର୍ତ୍ତ ସହିତ କରୋନା କଟକଣାରେ କୋହଳ କରାଯାଇଛି । ଆଜିଠାରୁ ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା କରିବାକୁ ଅନୁମତି ମିଳିଛି । ଜୁଲାଇ ପହିଲାରୁ ବାହାଘର ଭଳି କାର୍ଯ୍ୟକ୍ରମକୁ ଅନୁମତି ମିଳିପାରେ । ଏହାସହ ରାଜ୍ୟରେ ଜୁଲାଇ ପହିଲାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲାଯିବ ।

ଆସାମ : ଆସାମ ସରକାର ରାଜ୍ୟର ମୋଟ ଜିଲ୍ଲାକୁ ୩ ଭାଗରେ ବିଭକ୍ତ କରିଛନ୍ତି । ପ୍ରଥମ ଭାଗରେ ଯେଉଁ ଜିଲ୍ଲାମାନଙ୍କରେ ସଂକ୍ରମଣ ଅଧିକ ରହିଛି ସେଠାରେ ପୁରା ୨୪ ଘଂଟିଆ ଲକଡାଉନ ଜାରି ରହିବ । ଦ୍ୱିତୀୟ ଭାଗରେ କମ୍ ପଜିଟିଭ୍ ସଂଖ୍ୟା ଆସୁଥିବା ଜିଲ୍ଲାମାନଙ୍କରେ ଦିନ ୨ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଲକଡାଉନ ରହିବ ଓ ତୃତୀୟରେ ସ୍ଥିତିରେ ସୁଧାର ଆସୁଥିବା ଜିଲ୍ଲାମାନଙ୍କରେ ସନ୍ଧ୍ୟା ୫ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ।

କର୍ଣ୍ଣାଟକ : ରାଜ୍ୟରେ କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାରେ କୋହଳ କରାଯାଇଛି । କିଛି ସର୍ତ୍ତ ସହିତ ବାହାଘର କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହାସହ ହୋଟେଲ ଓ କଲ୍ୟାଣ ମଣ୍ଡପରେ ସର୍ବାଧିକ ୪୦ ଜଣ ଲୋକ ରହିପାରିବେ ବୋଲି ସରକାର କହିଛନ୍ତି ।

ତାମିଲନାଡୁ : ତାମିଲନାଡୁ ସରକାର ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ହେଲେ ୪ ଟି ଜିଲ୍ଲାରେ ୧୦୦ ପ୍ରତିଶତ କର୍ମଚାରୀଙ୍କ ସହ କମ୍ପାନୀ ଖୋଲିପାରିବ ବୋଲି କୁହାଯାଇଛି ।