ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍: ହଟିଲା ନାଇଟ କର୍ଫ୍ୟୁ, ଆଉ ହେବନି ଶନି-ରବି ସଟଡାଉନ୍; ସେପ୍ଟେମ୍ବର ୩୦ ଯାଏ ବନ୍ଦ ରହିବ ଧର୍ମାନୁଷ୍ଠାନ, ଖୋଲିବନି ସିନେମା ହଲ, ସୁଇମିଂ ପୁଲ

ପୂଜା ଛୁଟି ଯାଏ ବନ୍ଦ ରହିବ ସ୍କୁଲ, କଲେଜ

450

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅନଲକ ୪ ଗାଇଡଲାଇନ ପରେ ରାଜ୍ୟ ସରକାର ଅନଲକ ୪କୁ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାର କୋହଳ କରିଥିବା ଅଧିକାଂଶ କଟକଣା ସମ୍ପର୍କୀତ ନିୟମ ବଳବତ୍ତର ରହିଛି । ରାଜ୍ୟରୁ ହଟିଛି ନାଇଟ କର୍ଫ୍ୟୁ । ଅର୍ଥାତ୍ ସାରା ରାଜ୍ୟରେ ଆଉ କୌଣସି ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବନାହିଁ । ସେହିପରି ଶନି-ରବି ସଟଡାଉନ ବି ହଟାଇନେଇଛନ୍ତି ରାଜ୍ୟ  ସରକାର । ସମାବେଶ ଓ ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି ରେ ସମାନ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ଜିଲ୍ଲା, ଉପଖଣ୍ଡ, ସହରାଂଚଳ କି କୈାଣସି ସ୍ତରରେ ଲକଡାଉନ ଲାଗୁ ହୋଇପାରିବନି ।

ଯଦି ସଂକ୍ରମଣ ରୋକିବାକୁ କୈାଣସି ଅଂଚଳରେ ଲକଡାଉନର ଆବଶ୍ୟକତା ପଡେ ତେବେ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯିବ । ଧାର୍ମିକ ଅନୁଷ୍ଠାନ ଗୁଡିକ ୩୦ସେପ୍ଟେମ୍ବର ଯାଏଁ ବନ୍ଦ ରହିବ । ସାମାଜିକ, ଧାର୍ମୀକ, ରାଜନୈତିକ,  ସାଂସ୍କୃତିକ, ମନୋରଞ୍ଜନଧର୍ମୀ, କ୍ରୀଡା ସମ୍ବନ୍ଧିୟ,ଶିକ୍ଷା ସମ୍ବନ୍ଧୀୟ କୈାଣସି ସମାବେଶ ହୋଇପାରିବନାହିଁ । ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ଜଣ ଓ ଅନ୍ତିମ ସକ୍ରାରରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ । ସ୍କୃୁଲ କଲେଜ, ବିଶ୍ୱବିଦ୍ୟାଳୟ ସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ପ୍ରଶିକ୍ଷଣ ସଂସ୍ଥା ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ।

ପରୀକ୍ଷା ସହ ଖାତା ଦେଖା ପାଇଁ ଅନୁମତି ଦେଇଛନ୍ତି ସରକାର । ୨୧ ସେପ୍ଟେମ୍ବର ପରେ ୫୦% ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ନେଇ ଅନଲାଇନ କ୍ଲାସ ହେବ । ଅର୍ଥାତ ସ୍କୁଲ ଖୋଲିପାରିବ ଏବଂ ସେଠାରୁ ପରିଚାଳିତ ହେବ ଅନଲାଇନ କ୍ଲାସ  । ସିନେମା ହଲ, ସ୍ୱିମିଂ ପୁଲ, ଏଂଟରଟେନମେଂଟ କମପ୍ଲେକ୍ସ, ଥିଏଟର ଓ ଅଡିଟୋରିୟମ ବନ୍ଦ ରହିବ । ୨୧ ସେପ୍ଟେମ୍ବରରୁ ମୁକ୍ତାକାଶ ରଙ୍ଗମଂଚ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ଭିତରେ ଯାତାୟତରେ କୈାଣସି କଟକଣା ରହିବନାହିଁ । ଆଜି ଠାରୁ ଜିଲ୍ଲା ଜିଲ୍ଲା ଭିତରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ଅନୁମତି ମିଳିଛି । ଅନଲକ-୪ରେ ହୋଟେଲ, ରେଷ୍ଟୁରାଂଟ ଓ ବାର୍ ଉପରେ କୈାଣସି କଟକଣା ରଖିନାହାଁନ୍ତି ସରକାର ।