ରହସ୍ୟମୟୀ ଖଣ୍ଡଗିରି : ପାହାଡ ତଳେ ପୋତି ହୋଇ ରହିଛି କି ମନ୍ଦିର? 

780

କନକ ବ୍ୟୁରୋ : ରହସ୍ୟମୟୀ ଖଣ୍ଡଗିରି ପାହାଡ଼। ଏହି ପାହାଡ଼ରେ ସ୍ଥିତ ଲଲାଟକେଶରୀ ଗୁମ୍ଫାରୁ ଆକାଶ ଗଙ୍ଗାକୁ ଯିବାକୁ ରାସ୍ତା ନିକଟରେ ମିଳିଛି ବିଭିନ୍ନ ଆକୃତିର ପଥରର ଭଗ୍ନାବଶେଷ। ପାହାଡ଼ ଭିତରେ କୌଣସି ମନ୍ଦିର ପୋତି ହୋଇ ରହିଲା ଭଳି ଜଣାପଡ଼ୁଛି। ମାଘମେଳାକୁ ଆସୁଥିବା କିଛି ହିନ୍ଦୁ ସାଧୁଙ୍କ କହିବା ଅନୁସାରେ, ଏହା ମନ୍ଦିରର ଦଧିନଉତି ସ୍ବରୂପର ଭଗ୍ନାବଶେଷ। କଳାପାହାଡ଼ ଆକ୍ରମଣ ସମୟରେ ଏହାକୁ ନଷ୍ଟ କରି ଦିଆଯାଇଥିବା ଅନୁମାନ କରାଯାଉଛି। ଏଥିସହିତ ଏହି ପାହାଡ଼ରେ ସ୍ଥିତ ଲଲାଟକେଶରୀ ଗୁମ୍ଫାର ଠିକ୍‌ ୨୫ ଫୁଟ ଦୂରରେ ପାହାଡ଼ ମଝିରୁ ଆଁ କରିବା ଭଳି ପାଣି ବାହାରୁଛି। ଆକାଶ ଗଙ୍ଗାରୁ ନିୟମିତ ଭାବରେ ପାଣି ନିଷ୍କାସିତ ହେଉଥିବାରୁ ପାହାଡ଼ କ୍ଷତିଗ୍ରସ୍ତ ହେବା ନେଇ ଶ୍ରଦ୍ଧାଳୁମାନେ ଆଶଙ୍କା କରୁଛନ୍ତି। ତେବେ ଏଏସଆଇ କର୍ତ୍ତୃପକ୍ଷ କିନ୍ତୁ ଝରୁଥିବା ପାଣି ଯୋଗୁଁ ପାହାଡ଼ ପ୍ରଭାବିତ ହେବା ଯୁକ୍ତିକୁ ଅସ୍ବୀକାର କରିଛନ୍ତି। କୁମ୍ଭମେଳା ଯୋଗୁଁ ଏବେ ଚଳଚଞ୍ଚଳ ହୋଇଛି ଖଣ୍ଡଗିରି ପାହାଡ଼।

ଐତିହାସିକଙ୍କ ମତ ଅନୁସାରେ, ପ୍ରାୟ ୨୨୦୦ ବର୍ଷ ପୁରୁଣା ଖଣ୍ଡଗିରି-ଉଦୟଗିରି ପାହାଡ଼ ଗୁମ୍ଫା ପାଇଁ ବିଖ୍ୟାତ। ଏଥିମଧ୍ୟରେ ସର୍ବାଧିକ ଗୁମ୍ଫା ରାଜା ଖାରବେଳଙ୍କ ସମୟରେ ହୋଇଥିଲା। ମାତ୍ର ଏହି ପାହାଡ଼ ଉପରେ ଆକାଶ ଗଙ୍ଗା ଦେଇ ଯାଇଥିବା ରାସ୍ତାରେ ମନ୍ଦିର ଥିବା ନେଇ ଆଜି ପର୍ଯ୍ୟନ୍ତ ଜଣାପଡ଼ିନଥିବା ଏଏସଆଇ ଭୁବନେଶ୍ବରର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି। ପୂର୍ବରୁ ସେ କେବେ ଏଭଳି ଭଗ୍ନାବଶେଷ ଦେଖି ନାହାନ୍ତି। ଉପରୋକ୍ତ ସ୍ଥାନକୁ ଗଲେ ପ୍ରକୃତ ତଥ୍ୟା ଜଣାପଡ଼ିବ ବୋଲି କହିଛନ୍ତି।

ବର୍ତ୍ତମାନ ଖଣ୍ଡଗିରି ପାହାଡ଼ରେ ଭକ୍ତଗଣ ହୋମ, ଯଜ୍ଞ ଏବଂ ପୂଜା ଉପାସନାରେ ବ୍ୟସ୍ତ ଅଛନ୍ତି। କିଛି ଶ୍ରଦ୍ଧାଳୁ କିନ୍ତୁ ପାହାଡ଼ର କୋଣ-ଅନୁକୋଣ ଘୂରି ବୁଲି ଅନାଲୋଚିତ ତଥ୍ୟ ଉଜାଗର କରିବାରେ ଲାଗି ପଡ଼ିଛନ୍ତି। ମେଳାକୁ ଆସିଥିବା ପଣ୍ଡିତ ଭକ୍ତଚରଣ ଦାଶଙ୍କ ଅନୁସାରେ, ଖଣ୍ଡଗିରି ପାହାଡ଼ରେ ଲଲାଟକେଶରୀର ପୂର୍ବ-ଦକ୍ଷିଣ କୋଣକୁ ସଂଲଗ୍ନ ହୋଇ ପାହାଡ଼ର ପାଦଦେଶରେ ଏକ ସୁଡ଼ଙ୍ଗ ଭଳି ସୃଷ୍ଟି ହୋଇଛି। ଏହାର ଭିତର ପଟରୁ ବାହାରକୁ ଏକ ବଡ଼ ପଥର ରହିଛି। ବର୍ତ୍ତମାନ ଗୁମ୍ଫା ବନ୍ଦ ହୋଇଯାଇଥିବାରୁ ଏହି ପଥରେ ପ୍ରବେଶ ଅସମ୍ଭବ ମନେ ହୁଏ। ତେବେ ଶହ-ଶହ ବର୍ଷ ପୂର୍ବରୁ ଗୁମ୍ଫା ଭିତରକୁ ରାସ୍ତା ଥିବାର ଅନୁମାନ କରାଯାଉଛି। ସେହି ଭିତରକୁ ସାଧୁ ସନ୍ନ୍ୟାସୀମାନେ ପ୍ରବେଶ କରୁଥିଲେ। କୌଣସି କାରଣବସତଃ ଏହି ପଥର ପଡ଼ି ଯାଇଥିବା ଅନୁମାନ କରାଯାଏ। ସ୍ଥାନୀୟ ଲୋକ ଏହି ଗୁମ୍ଫା ଭିତରେ ଧ୍ୟାନରତ ଅବସ୍ଥାରେ ଅନେକ ସାଧୁଙ୍କ ମୃତ୍ୟୁ ହୋଇଥିବା ବିଶ୍ବାସ କରନ୍ତି। ଏହି ଗୁମ୍ଫାର ବାମ ପଟରେ ୩୦ ଫୁଟ ଦୂରରେ ଥିବା ଗୁମ୍ଫାକୁ ୧୦ ନମ୍ବର କୁହାଯାଏ। ଏଠାରେ ବିରାଟ ଉଇହୁଙ୍କା ରହିଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଗଲେ ପର୍ୟ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ପାରିବ। ଏହାର ନିକଟରେ ପଞ୍ଚସଖାଙ୍କ ଧ୍ୟାନସ୍ଥଳୀ ରହିଛି। ଏଠାରେ ପାଞ୍ଚ ଜଣଙ୍କ କ୍ଷୁଦ୍ର ପଥର ମୂର୍ତ୍ତି ବି ରହିଛି। ତେବେ ଏଭଳି ସ୍ଥାନରେ କିଛି ବ୍ୟକ୍ତି ନିଜ ନାମ ଲେଖି ସେହି ସ୍ଥାନକୁ ଅପମାନିତ କରିବା ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କୁହାଯାଏ ଖଣ୍ଡଗିରି ଚତୁପାର୍ଶ୍ବରେ ଯୋଗ ନଦୀ , ଘରଘରି, ଖରଖରି, ତେଲ ନଦୀ ରହିଥିଲା। ବର୍ତ୍ତମାନ ଏହି ନଦୀସବୁ ଲୋପ ପାଇ ରାସ୍ତା ହୋଇ ସାରିଛି। ଖଣ୍ଡଗିରି ପାହାଡ଼ରେ ଥିବା ଆକାଶ ଗଙ୍ଗାରେ ମେଳାକୁ ଆସୁଥିବା ସାଧୁ, ସନ୍ନ୍ୟାସୀମାନେ ଗାଧୋଇବା ସହିତ କଳସ ଶୋଭାଯାତ୍ରା ପାଇଁ ପାଣି ଆଣିଥାଆନ୍ତି। ପାହାଡ଼ ଉପରେ ବିରାଟ ବଟବୃକ୍ଷ ରହିଛି। ସ୍ଥାନୀୟ ଶ୍ରଦ୍ଧାଳୁମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ବିଭିନ୍ନ ଭାବରେ ପଥର ସଜାଇବା ସହିତ କନା ବାନ୍ଧିଛନ୍ତି। ଏହାର ନିକଟରେ ଗୁପ୍ତଗଙ୍ଗା ରହିଛି। ବିଭିନ୍ନ ପ୍ରକାର ଜଙ୍ଗଲ, ପଥରରେ ପରିପୂର୍ଣ୍ଣ ଏହି ପାହାଡ଼ର ରକ୍ଷଣାବେକ୍ଷଣ, ସଫେଇ, ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ମାଘମେଳା ବ୍ୟତୀତ ଅନ୍ୟ ସମୟରେ ଏହା କେବଳ ଅସମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ହୋଇ ରହୁଛି। ଉଦୟଗିରି ଭଳି ଖଣ୍ଡଗିରିକୁ କେନ୍ଦ୍ର ପ୍ରତ୍ନତତ୍ବ ବିଭାଗ ଅଧିଗ୍ରହଣ କରିନଥିବାରୁ ଏହି ପାହାଡ଼ ବିଷୟରେ ବହୁ ଅନାଲୋଚିତ ତଥ୍ୟ ପଦାକୁ ଆସି ପାରୁନଥିବା ଅଭିଯୋଗ ହେଉଛି।