ନବ ଦାସଙ୍କୁ କାହିଁକି ହେଲା ଗୁଳିମାଡ ? ଘଟଣାସ୍ଥଳକୁ ଯାଇ କାରଣ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଓ ତାଙ୍କ ଟିମ୍

621

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲା ଏଏସଆଇ ଗୋପାଳ ଦାସ । ଏହାର କୌଣସି ଉତର ଏଯାଏଁ ମିଳିନାହିଁ । ପୁରା ଘଟଣାକୁ ଦେଖିଲେ ଜଣେ ପୁଲିସ ଅଧିକାରୀ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କରିବ, ତାହା କେହି କଳନା କରୁପାରୁ ନାହାନ୍ତି । ରାଜ୍ୟ ସରକାର ପୁରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନବ ଦାସଙ୍କ ବିଜନେସ ପାର୍ଟନରଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ପଛରେ ରାଜନୈତିକ ନା ବ୍ୟବସାୟିକ ନା ବ୍ୟକ୍ତିଗତ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

କ୍ରାଇମବ୍ରାଞ୍ଚ ଟିମ୍‌ ଗୁଳିକାଣ୍ଡସ୍ଥଳରେ ତନ୍ନତନ୍ନ କରି ଦେଖିବା ସହିତ ସ୍ଥାନୀୟ ପୁଲିସକୁ ପଚରାଉଚରା କରିଥିଲେ । ଏହି ଅଧିକାରୀମାନଙ୍କ ସହିତ ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଓ ବ୍ରଜରାଜନଗର ଆଇଆଇସିଙ୍କ ସହିତ କଥାବାର୍ତ୍ତା କରିଥିଲେ । ପରେ ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌ ଦୀର୍ଘ ସମୟ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ପୂର୍ବରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଗୋଟିଏ ଖୋକା, ଫୁଲମାଳ, ଚପଲ ଓ ରକ୍ତର ନମୁନା ‌ସଂଗ୍ରହ କରି ଫେରିଥିଲେ । ଏଡିଜି ବୋଥ୍ରାଙ୍କ ସହ ଆଇଜି ଦୀପକ କୁମାର ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ହେଉଛି ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗ । ଏଠାରେ ତାଙ୍କର ପତ୍ନୀ ଜୟନ୍ତୀ ଓ ପୁଅ-ଝିଅ ରହୁଛନ୍ତି । ଗୋପାଳଙ୍କ ପରିବାର, ମାନସିକ ଅବସ୍ଥା ଓ ଛୁଟି କଥା ଉଠାଇଛନ୍ତି । ପରିବାର ଲୋକଙ୍କ କହିବାନୁସାରେ, ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍‌ ନଥିଲା । ଏଥିପାଇଁ ୮/୯ବର୍ଷ ହେବ ସେ ଔଷଧ ଖାଉଥିଲେ । ତେବେ, ସେ କାହିଁକି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ କଲେ, ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି ।

ଏଏସ୍‌ଆଇ ଗୋପାଳଙ୍କ ଗ୍ରାମ ଆଙ୍କୋଲି ଜଳେଶ୍ବରଖଣ୍ଡି ହୋଇଥିବା ବେଳେ ସେ ପଞ୍ଚଶୀଳମାର୍ଗରେ ଘର ତିଆରି କରିଛନ୍ତି । ବ୍ରହ୍ମପୁର ପୁଲିସ ଜିଲ୍ଲାରେ ସେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଗତ ୧୨ବର୍ଷ ତଳେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ସେ ଝାରସୁଗୁଡ଼ା ଅବସ୍ଥାପିତ ହୋଇଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଦାସଙ୍କ ଗୁଳିମାଡ଼ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ସ୍ବାମୀ ଆଜି ସକାଳେ ଝିଅକୁ ‌ଭିଡ଼ିଓ କଲ୍‌ କରିଥିଲେ । ଜରୁରି ଫୋନ୍‌ ଆସୁଛି ବୋଲି କହି ଫୋନ୍‌ କାଟି ଦେଇଥିଲେ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କୌଣସି ଶତ୍ରୁତା ନଥିଲା କି ଏନେଇ ସେ ପୂର୍ବରୁ କିଛି ଆଲୋଚନା କରିନଥିଲେ। ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା । ଗତ ପ୍ରାୟ ୮/୯ବର୍ଷ ହେଲା ଔଷଧ ସେବନ କରୁଥିଲେ । କାହାକୁ ମାଡ଼ପିଟ୍‌ କି ଗାଳିଗୁଲଜ କରୁ ନଥିଲେ । ଗତ ପ୍ରାୟ ୪/୫ମାସ ତଳେ ଘରକୁ ଆସିଥିଲେ ବୋଲି ପତ୍ନୀ ଜୟନ୍ତୀ କହିଛନ୍ତି ।