ବିଶ୍ୱ ବିକାଶରେ ବାଧକ ସାଜିଛି ଭୋକ, ଦୈନିକ ୨୫ ହଜାର ଲୋକ ମରୁଥିବା ନେଇ ସଂଯୁକ୍ତ ରାଷ୍ଟ୍ର ସଂଘର ରିପୋର୍ଟ

159

କନକ ବ୍ୟୁରୋ : ଦେଶରେ ବିଜ୍ଞାନ ଆଗକୁ ଯାଉଛି, ପ୍ରଯ୍ୟୁକ୍ତି ବିଦ୍ୟା ମାଧ୍ୟମରେ ଭୂପୃଷ୍ଟରୁ ଯାଇ ମଣିଷ ମହାକାଶର ଛାତି ଚିରି ରିସର୍ଚ କରୁଛି । ହେଲେ ଭୋକ ଉପରେ ବିଜୟ କରିବାରେ ବ୍ୟବସ୍ଥା ଅସଫଳ ହୋଇଛି । ଭୋକର ବିକଳ ଚିତ୍ର ଉପରୁ ପରଦା ହଟାଇଛି ସଂଯୁକ୍ତ ରାଷ୍ଟ୍ର ସଂଘ । ସଂଯୁକ୍ତ ରାଷ୍ଟ୍ର ସଂଘର ରିପୋର୍ଟ ମୁତାବକ ଖାଦ୍ୟ ଅଭାବରୁ ସାରା ବିଶ୍ୱରେ ଦୈନିକ ୨୫ ହଜାର ଲୋକ ପ୍ରାଣ ହରାଉଛନ୍ତି । ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ମୃତ୍ୟୁବରଣ କରୁଛନ୍ତି ଶିଶୁମାନେ । ସେହି ସଂଯୁକ୍ତ ରାଷ୍ଟ୍ରସଂଘର ରିପୋର୍ଟ ମୁତାବକ ଭୋକ ବା ଖାଦ୍ୟ ଅଭାବରୁ ଦୈନିକ ବିଶ୍ୱରେ ମୃତ୍ୟୁବରଣ କରୁଥିବା ୨୫ ହଜାର ଲୋକଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ୧୦ ହଜାର ରହିଛି ।

କେବଳ ସେତିକି ନୁହେଁ କୁପୋଷଣକୁ ନେଇ ବି ସଂଯୁକ୍ତ ରାଷ୍ଟ୍ର ସଂଘ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ମୁତାବକ ସାରା ବିଶ୍ୱରେ ୮୫୪ ମିଲିୟନ ଲୋକ କୁପୋଷଣରେ ଶିକାର ହୋଇଛନ୍ତି । କୁହାଯାଇଛି କି ବିଶ୍ୱରେ ଯେଭଳି ଅହେତୁକ ଭାବେ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଉଛି ଏହି କାରଣରୁ ଖୁବଶୀଘ୍ର କୁପୋଷଣରେ ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁବ । ସହରରେ ରହୁଥିବା ଗରିବ ଲୋକ, ବିସ୍ଥାପିତ ହୋଇଥିବା ଲୋକ, ଗ୍ରାମରେ ରହୁଥିବା ଭୂମିହୀନ ସମେତ ଅଧିକାଂଶ କ୍ଷୁଦ୍ର ଚାଷୀ ଓ ସେମାନଙ୍କ ପରିବାର ସର୍ବାଧିକ କୁପୋଷଣରେ ଶିକାର ହେଉଛନ୍ତି ।

ସାରା ବିଶ୍ୱର ଘାରିଥିବା ଏହି ଖାଦ୍ୟ ସଂକଟର କାରଣ ବତାଇବାକୁ ଯାଇ ସଂଯୁକ୍ତ ରାଷ୍ଟ୍ର ସଂଘ କହିଛି କି, ଗତ ୨ ଦଶକ ମଧ୍ୟରେ ବିଶ୍ୱରେ ବଢୁଥିବା ଜନସଂଖ୍ୟା, ଖାଦ୍ୟର ବିବିଧିକରଣ ବୃଦ୍ଧି କାରଣରୁ ଏଭଳି ଦେଖିବାକୁ ମିଳିଛି  । ଆହୁରି କୁହାଯାଇଛି କି, ୨୦୦୦ ମସିହା ପୂର୍ବରୁ ଶଶ୍ୟ ଉତ୍ପାଦନ ଭଲ ରେକର୍ଡ କରିଥିବାରୁ ସେତେବେଳେ ଖାଦ୍ୟ ଶଶ୍ୟର ମୂଲ୍ୟ ନିୟନ୍ତ୍ରିତ ରହୁଥିଲା । ହେଲେ କୃଷିକ୍ଷେତ୍ର ଓ କୃଷିକୁ ବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା କମିବା ଫଳରେ ଖାଦ୍ୟର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ଓ ଏହା କିଣି ଭୋଜନ କରିବାରେ ଲୋକଙ୍କ କ୍ଷମତା କମୁଛି । ଏହି କାରଣରୁ ଏଭଳି ଦୁଖଦ ଘଟଣା ଦେଖିବାକୁ ମିଳିଛି ବୋଲି ସଂଯୁକ୍ତ ରାଷ୍ଟ୍ରସଂଘ ଦାବି କରିଛି ।