ପୁଣି ଭାରତକୁ ପ୍ରଶଂସା କଲେ ଜାତିସଂଘର ମହାନିର୍ଦ୍ଦେଶକ । ଶାନ୍ତି ବାହିନୀଙ୍କ ପାଇଁ ଟିକା ପଠାଇଥିବାରୁ ଏଭଳି ପ୍ରଶଂସା ପାଇଲା ଭାରତ

167

କନକ ବ୍ୟୁରୋ : ଜାତିସଂଘରେ ଭାରତ ଦିନକୁ ଦିନ ନିଜର ସ୍ଥିତି ସଦୃଢ କରିବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘ ତରଫରୁ ଭିନ୍ନ ଭିନ୍ନ ସମୟରେ ଭାରତ ପ୍ରଶଂସିତ ହେଉଥିବା ଦେଖିବାକୁ ମିଳିଛି ।

ଭାରତ ଜାତିସଂଘର ଶାନ୍ତିବାହିନୀଙ୍କ ପାଇଁ ୨ ଲକ୍ଷ ୨୯ ହଜାରରୁ ଅଧିକ କରେନା ପ୍ରତିଷେଧକ ଟିକା ପଠାଇଛି । ଏନେଇ ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି । ଏହାକୁ ନେଇ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଂକରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ବିଦେଶୀ ରାଷ୍ଟ୍ରକୁ ଭାରତ ତରଫରୁ କରୋନା ପ୍ରତିଷେଧକ ଟିକା ପଠାଇବା ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି, ଭାରତ ଆଗାମୀ ଦିନରେ ଆଫ୍ରିକାକୁ ୧ କୋଟି ଟିକା ପଠାଇବ । ସେହିପରି ଜାତିସଂଘର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ୧୦ ଲକ୍ଷ ଟିକା ପଠାଯିବା ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି    ।
କହିରଖୁ କି କରୋନା ଟିକା ପ୍ରସ୍ତୁତି ଓ ଏହାର ବଣ୍ଟନ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ପ୍ରଥମରେ ରହିଛି । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ସରକାର ଯେଭଳି ଭାବେ କରୋନା ଭଳି ମହାମାରୀର ମୁକାବିଲା କରିଛନ୍ତି ତାହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା କରିବାରେ ଲାଗିଛି । ଏହା ସହ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ଆଗୁଆ ରହିଛି । ଅବିକଶିତ ରାଷ୍ଟ୍ର ମାନଙ୍କୁ ଟିକା ଯୋଗାଣ ପାଇଁ ବି ଭାରତ ପ୍ରତିଶୃତି ଦେଇଛି ।