କନକ ବ୍ୟୁରୋ: ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ବିବାଦର ବାହାରି ପାରୁନି ସମାଧାନର ବାଟ । ସ୍କୁଲ ମିଶ୍ରଣକୁ ବିରୋଧ କରି ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ପ୍ରତିବାଦ ପରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଥିଲା । ଏଥିପାଇଁ ଗଣିଶିକ୍ଷା ବିଭାଗ ଅଧିକାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବସିଥିଲା । ହେଲେ, ବୈଠକ ପରେ ଯାହା ସାମନାକୁ ଆସିଛି ସେଥିରୁ ବିବାଦ ସମାଧାନ ବଦଳରେ ଆହୁରି ଜଟିଳ ଆଡକୁ ଗତି କରୁଛି ।

Advertisment

ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ମିଶ୍ରଣ ବିବାଦର ସମଧାନ ପାଇଁ, ଗୁରୁବାର ଗଣଶିକ୍ଷା ବିଭାଗର ଅଧିକାରୀ, ସ୍କୁଲ କର୍ତୁପକ୍ଷ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ରୀଙ୍କ ନେଇ ବସିଥିଲା ବୈଠକ । ଆଶା କରାଯାଉଥିଲା ଏହି ବୈଠକରୁ ସମସ୍ୟା ସମାଧାନର ବାଟ ବାହାରିବ । କିନ୍ତୁ ବେଠକ ପରେ ଅଲଗା ଅଲଗା କଥା କହିଛନ୍ତି ଦୁଇ ପକ୍ଷ । ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି, ଆଲୋଚନା ଫଳପ୍ରଦ ରହିଛି । ଛାତ୍ରୀମାନଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସହମତି ଭିିିତିରେ ସମାଧାନର ବାଟ ବାହାରିବ । ହେଲେ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯାହା କହିଛନ୍ତି ତାହା ବିବାଦକୁ ଆହୁରି ବଢ଼ାଇ ଦେଇଛି । କହିଛନ୍ତି, ଉଭୟ ପକ୍ଷକୁ ସୁହାଇଲା ପରି ନିଷ୍ପତି ହୋଇପାରିନାହିଁ । ଯଦି ସରକାର ନିଜ ଜିଦରେ ଅଟଳ ରୁହନ୍ତି, ତେବେ ରୁପାଲି ଛକରେ ନିଆଁ ଜଳିବ ।

ୟୁନିଟ୍-୯ ବାଳିକା ଉଚ୍ଚବିଦ୍ୟାଳୟକୁ, ୟୁନିଟ୍-୯ ବାଳକ ଉଚ୍ଚବିଦ୍ୟାଳୟ ସହ ମିଶାଇବାକୁ ସରକାରଙ୍କ ନିଷ୍ପତି ପରେ ୫ଦିନ ଧରି ବିବାଦ ଲାଗି ରହିଛି । ସହରରେ ଘରୋଇ ସ୍କୁଲ ସଂଖ୍ୟା ବଢ଼ି ଚାଲିଥିବାବେଳେ, ୩୮୭ ଛାତ୍ରୀ ପାଠପଢ଼ୁଥିବା ସ୍କୁଲକୁ ଅନ୍ୟ ସ୍କୁଲରେ କାହିଁକି ମିଶାଯିବ, ତାହା ଭୁବନେଶ୍ୱରବାସୀଙ୍କୁ ଆନ୍ଦୋଳିତ କରିଛି । ଯେଉଁ ସ୍କୁଲରେ ପାଠ ପଢ଼ିଥିବା ଅନେକ ଛାତ୍ରୀ ଆଜି ବିଭିନ୍ନ ସ୍ଥାନରେ ସୁନାମ ଅର୍ଜ୍ଜନ କରିଛନ୍ତି, ସେଭଳି ଶିକ୍ଷାନୁଷ୍ଠାନକୁ କୌଣସି କାରଣ ନଥାଇ କାହିଁକି ଅନ୍ୟତ୍ର ମିଶ୍ରଣ କରାଯିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ସ୍କୁଲରେ ଏତେ ପିଲା ପାଠ ପଢ଼ୁଛନ୍ତି, ତାକୁ ଅନ୍ୟତ୍ର ମିଶାଇବାକୁ କାହିଁକି ନିଷ୍ପତି ନେଲେ ସରକାର? ୟୁନିଟ୍-୯ ସ୍କୁଲର ଛାତ୍ରୀ ଓ ରମାଦେବୀର ଯୁକ୍ତ-୨ ଛାତ୍ରୀ ଗୋଟିଏ କ୍ୟାମ୍ପସରେ ପାଠ ପଢ଼ିବାରେ ଅସୁବିଧା କେଉଁଠି? ଘରୋଇ ସ୍କୁଲ ସଂଖ୍ୟା ବଢି ଚାଲିଥିବାବେଳେ, ସରକାରୀ ସ୍କୁଲର ଭିତ୍ତଭୂମି ନସଜାଡି ମିଶ୍ରଣ କରିବା କେତେ ଯୁକ୍ତିଯୁକ୍ତ?