ସାପ୍ତାହିକ ହାଟ ବନ୍ଦକୁ ନେଇ ଅଭିନବ ପ୍ରତିବାଦ । ରାସ୍ତା ଉପରେ ପରିବା ଢାଳିଦେଲେ ବ୍ୟବସାୟୀ, କହିଲେ ହାଟ ବନ୍ଦ ଯୋଗୁଁ ହୋଇପାରୁନି ବିକ୍ରି, ବାହାର ପରିବା ଗାଡ଼ିକୁ ମିଳୁନି ଅନୁମତି । 

238

କନକ ବ୍ୟୁରୋ : ପରିବା ବିକାଳୀଙ୍କ ଅଭିନବ ପ୍ରତିବାଦ । କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପ୍ରତିବାଦ କଲେ ପରିବା ଦୋକାନୀ । ଆଜି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ସହରରେ । ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୧ ଦିନ ଧରି ସାପ୍ତାହିକ ହାଟ ଗୁଡିକ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଝାରସୁଗୁଡା ସହରରେ ଥିବା ଏକମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି । ଫଳରେ ପରିବା ବିକାଳୀମାନେ ପରିବା ବିକ୍ରି କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବାହାର ଜିଲ୍ଲାରୁ ଆସୁଥିବା ପରିବା ବ୍ୟବସାୟୀଙ୍କ ଗାଡିକୁ ସହରକୁ ପଶିବାକୁ ଅନୁମତି ଦିଆଯାଉନାହିଁ ।

ପୋଲିସ ବ୍ୟବସାୟୀଙ୍କ ଉପରେ ଜୁଲୁମ କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ପରିବା ବ୍ୟବସାୟୀ  । କିଛି ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଜିଲ୍ଲାରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ତିନି ସପ୍ତାହ ପର୍ଯ୍ୟନ୍ତ ଝାରସୁଗୁଡା ପ୍ରଶାସନ ପକ୍ଷରୁ ହାଟ ଗୁଡିକ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଜି ପରିବା ବିକାଳିମାନେ ରାସ୍ତା ଉପରେ ପରିବା ଢାଳି ପ୍ରତିବାଦ କରିଛନ୍ତି  । ତେବେ ପରିବା ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଲା ପରେ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ପୌର ନିର୍ବାହୀ ଅଧିକାରୀ ।