ଜଗାର ଘୋଷଯାତ୍ରା ପାଇଁ ବ୍ୟସ୍ତ ବୁଣାକାର । ରଥଯାତ୍ରା ପୂର୍ବରୁ ଶ୍ରୀ ବିଗ୍ରହଙ୍କ ଅଙ୍ଗବସ୍ତ୍ର ବୁଣୁଛନ୍ତି ଖୋର୍ଦ୍ଧା ରାଉତପଡାର ୨୫ ପରିବାର ।

179

କନକ ବ୍ୟୁରୋ : ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଂଚଳ ରଥଖଳା, ପ୍ରଶାସନିକସ୍ତରରେ ବି ଚାଲିଛି ଜୋରସୋର ପ୍ରସ୍ତୁତି । ଏହାରି ଭିତରେ ଜଗା କାମରେ ନିଜକୁ ନିୟୋଜିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ରାଉତପଡା ବୁଣାକାର ପରିବାର । ଘୋଷଯାତ୍ରା ଆଗରୁ ବଡ ଦେଉଳର ବଡ ଠାକୁରଙ୍କ ଅଙ୍ଗବସ୍ତ୍ର ତିଆରି କରିବାରେ ଲାଗିଛନ୍ତି ପରିବାରର ସବୁ ସଦସ୍ୟ ।

ଚାଲିଛି ଭଳି କି ଭଳି ପାଟ ବୁଣା । ବୁଣାକାରମାନେ ସେମାନଙ୍କ କୁଶଳୀ ହାତରେ ବିଭିନ୍ନ ପ୍ରକାର ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ । ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ଏମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୧୯୯୦ ମସିହାରୁ ଶ୍ରୀମନ୍ଦିରକୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗାଁର ୨୫ରୁ ଅଧିକ ପରିବାର । ବଡ ଦେଉଳକୁ ଯାଉଥିବା ବସ୍ତ୍ର ଗୁଡିକ ହେଲା ୧୨ ହାତି ଗଡ଼ା, ୧୬ ହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୂଖହୋତା, ଟଣାଠୋସା ।

ବଡ ଦେଉଳର ବଡ ଦିଅଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ରବିବାର ଦିନ ନାଲି ରଙ୍ଗର ପାଟ ପିନ୍ଧନ୍ତି ଭାଇ-ଭଉଣୀ । ସୋମବାର ଦିନ ଧଳା, ମଙ୍ଗଳବାର ଦିନ ବାରପାଟିଆ, ବୁଧବାର ଦିନ ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳସୁତା ଓ ଶନିବାର ଦିନ କଳା ପାଟ ପରିଧାନ କରିଥାନ୍ତି ମହାପ୍ରଭୁ । ଏସବୁ ଭିତରେ ଦୁଇ ଭାଇ ଓ ଗେହ୍ଲୀ ଭଉଣୀଙ୍କର ପ୍ରିୟ ବସ୍ତ୍ର ହେଉଛି ଗୀତଗୋବିନ୍ଦ ପାଟ । ବଡସିଂହାର ବେଶରେ ଚତୁର୍ଦ୍ଧା ମୂର୍ତି ଗୀତଗୋବିନ୍ଦ ପଦ ଲେଖା ହୋଇଥିବା ପାଟ ପରିଧାନ କରିଥାନ୍ତି । ଆଉ ଏହାକୁ ତିଆରି କରିବା ରାଉତପଡା ଗାଁର ପୁରୁଷ ମହିଳା ସମସ୍ତେ ଲାଗି ପଡିଛନ୍ତି ।

ରାମନବମୀ ଠାରୁ ଘରେ ପୂଜାର୍ଚ୍ଚନା କରିବା ପରେ ଘୋଷଯାତ୍ରା ପାଇଁ ବସ୍ତ୍ର ବୁଣା କାମ ଆରମ୍ଭ କରିଦେଇଥାନ୍ତି ବୁଣାକାର ପରିବାର । ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଶ୍ରୀବିଗ୍ରହଙ୍କ ଅଙ୍ଗବସ୍ତ୍ର ପଇଠ କରିଥାନ୍ତି । ତେବେ ଘୋଷଯାତ୍ରା ପାଇଁ ରାଉତପଡାରୁ ପ୍ରଥମ ପର୍ଯ୍ୟାୟ ଅଙ୍ଗବସ୍ତ୍ର ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠା ସରିଛି ।