ଗଜପତି ଜିଲ୍ଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନର ନିଆରା ପ୍ରୟାସ। ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଅର୍ଣ୍ଣାମେଣ୍ଟାଲ ଫିସ୍ ଫାର୍ମିଂ। 

59

କନକ ବ୍ୟୁରୋ: ଗଜପତି ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍ଣ୍ଣାମେଂଟାଲ ଫିସ ଫାର୍ମିଂ ଆରମ୍ଭ କରାଯାଇଛି । ଯାହାଦ୍ୱାରା ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହୋଇପାରିବେ । ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିବ ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସ୍ୱତନ୍ତ୍ର ତାଲିମ । ମହମବତୀ ତିଆରି, କୁକୁଡ଼ା ପାଳନ ଓ ଅର୍ଣ୍ଣାମେଂଟାଲ ଫିସ ଫାର୍ମିଂ ଭଳି ପ୍ରକଳ୍ପ କରିଛି ଗଜପତି ଜିଲ୍ଲା ପ୍ରଶାସନ । ମାଛ ଚାଷ କରିବା ସହ କିଭଳି ଆକ୍ୱାରିୟମ୍ କରି ଏହାକୁ ବିକ୍ରି କରି ହେବ ସେଥିପାଇଁ ମହିଳା ମାନଙ୍କୁ ତାଲିମ ଦିଆଯାଉଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ଅର୍ଣ୍ଣାମେଂଟାଲ ଫିସ ଫାର୍ମିଂ ପ୍ରକଳ୍ପ କରାଯାଇଛି । ଏହି ଚାଷ ସଫଳ ହେଲେ ଆଗକୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଏହିଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ନିଜ ଅଧିନକୁ ନେବା ପାଇଁ ଦୀର୍ଘ ବର୍ଷ ହେଲା ଯୋଜାନା କରୁଛି ଆନ୍ଧ୍ର ସରକାର । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ଲୋକେ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି । ନିଜେ ରୋଜଗାର କରିବା ସହ ଆନ୍ଧ୍ର ସରକାରଙ୍କ ଯୋଜନାରେ ଯେଭଳି ପ୍ରଲୋଭିତ ହେବେନାହିଁ ସେଥିପ୍ରତି ଧ୍ୟାନ ଦେଇଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏଭଳି ଏକ ଲାଭଜନକ ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧି ଯୋଗଦେଇଥିଲେ । ଏହି ବ୍ୟବସାୟକୁ ସ୍ଥାନୀୟ ଅଂଚଳରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ ।