ଇସ୍ପାତ କାରଖାନାରୁ ମେଡିକାଲ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଏପର୍ଯ୍ୟନ୍ତ ଯୋଗାଇ ଦିଆଗଲାଣି ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ।

190

କନକ ବ୍ୟୁରୋ : ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡିକ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ କେବଳ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ଗୁଡିକ ୩୯ ହଜାର ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଇ ଦେଇଥିବା କଥା ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ କରିବା ପାଇଁଁ ଦେଶ ଏକାଠି ହୋଇଛି ବୋଲି କହିଛନ୍ତି । ଇସ୍ପାତ କ୍ଷେତ୍ର ମଧ୍ୟ ଏହି ଲଢେଇରେ ଦେଶବାସୀଙ୍କ ସହିତ ରହିଛି । ସାରାଦେଶରେ ଇସ୍ପାତ କାରଖାନାଗୁଡିକ ମେଡିକାଲ ଅକ୍ସିଜେନ ଯୋଗାଉଛନ୍ତି । ଏହାସହ ଓଡିଶାର ରାଉରକେଲା ଇସ୍ପାତ କାରଖାନା ଓ ଟାଟା ଷ୍ଟିଲର କଳିଙ୍ଗ ନଗର କାରଖାନାରୁ ଦିଲ୍ଲୀକୁ ମେଡିକାଲ ଅକ୍ସିଜେନ ଯୋଗାଇ ଦିଆଯାଉଛି ।

ଅନ୍ୟପଟେ ଗତକାଲି ଭାଇଜାଗର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ଏକ ଅକ୍ସିଜେନ ବୋଝେଇ ଟ୍ରେନ ମହାରାଷ୍ଟ୍ରକୁ ପଠାଯାଇଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ । ଆଜି ବୋକାରୋ ଇସ୍ପାତ କରାଖାନାରୁ ଅନ୍ୟ ଏକ ଅକ୍ସିଜେନ ବୋଝେଇ ଟ୍ରେନ ଉତରପ୍ରଦେଶକୁ ପଠାଯାଇଛି । ବର୍ତମାନର କଠିନ ସମୟରେ ଇସ୍ପାତ କମ୍ପାନୀମାନେ ଏକାଠି ହେବା ସହ ଦେଶର ଆହ୍ୱାନ କ୍ରମେ ମେଡିକାଲ ଅକ୍ସିଜେନ ଉତ୍ପାଦନ ପାଇଁ ଅକ୍ଳାନ୍ତ ଉଦ୍ୟମ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।