ନବୀନଙ୍କୁ ମାନେକାଙ୍କ ଚିଠି ! ହାତୀଙ୍କ ସୁରକ୍ଷା ଦିଗରେ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ପରାମର୍ଶ ।

ଢେଙ୍କାନାଳରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜତୀୟ ସ୍ତରରେ ମଧ୍ୟ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

90

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପଶୁ ଅଧିକାର ଏବଂ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମାନେକା ଗାନ୍ଧୀ । ଢେଙ୍କାନାଳରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣା ଚିଠି ଲେଖିଛନ୍ତି ମେନେକା । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପଶୁ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମେନକା ଗାନ୍ଧୀ ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ହାତୀ ସୁରକ୍ଷା ପାଇଁ ବ୍ୟକ୍ତଗତଭାବେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ମାନେକା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଢେଙ୍କାନାଳରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣା ଦେଶରେ ସର୍ବାଧିକ । ୨୦୧୧ ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ମୋଟ ୪୩୫ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ସେଥିରୁ ୨୮ ପ୍ରତିଶତ ଅର୍ଥାତ ୧୨୪ଟି ହାତୀ କେବଳ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ତେଣୁ ହାତୀ ସୁରକ୍ଷା ପାଇଁ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ହାତୀ ସୁରକ୍ଷା ପାଇଁ ଏ.କେ ବିଶ୍ୱାଳ କମିଟି ଗଠନ କରିଥିଲେ । କିନ୍ତୁ ରାଜ୍ୟ ତାହାକୁ ସୁଚାରୁରୂପେ କାର୍ଯ୍ୟକାରୀ କରୁନାହିଁ । ତେଣୁ ଏ.କେ ବିଶ୍ୱାଳ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି ମାନେକା । ଏବଂ ଯେଉଁ କର୍ମଚାରୀମାନେ ସୁପାରିଶକୁ କାର୍ଯ୍ୟକାରୀ କରି ନାହାଁନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମାନେକା।