‘ଜରୁରୀ କାମ ଅଛି, ୪୦ ହଜାର ଟଙ୍କା ପଠାଅ’ । ମୋଦିଙ୍କ ମନ୍ତ୍ରୀଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ସାଇବର ଲୁଟେରା ।

171

କନକ ବ୍ୟୁରୋ : ମନ୍ତ୍ରୀଙ୍କ ନାଁରେ ମହାଠକେଇ ଉଦ୍ୟମ । କର୍ମୀଙ୍କୁ ଟଙ୍କା ମାଗୁଛନ୍ତି ମନ୍ତ୍ରୀ । କିନ୍ତୁ ମନ୍ତ୍ରୀ ଅସଲି ନୁହଁନ୍ତି ପୂରା ନକଲି । କାରଣ ଯେଉଁ ଆକାଉଣ୍ଟରୁ ଟଙ୍କା ମଗାଯାଉଛି ତାହା ମନ୍ତ୍ରୀଙ୍କ ଅସଲି ଆକାଉଣ୍ଟ ନୁହେଁ । ଉତ୍ତରପ୍ରଦେଶ ମୋହନଲାଲଗଞ୍ଜର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ନାଁରେ ଏଭଳି ଏକ ଆକାଉଣ୍ଟ ଖୋଲି ଟଙ୍କା ମଗାଯାଉଥିବାର ଖବର ଏବେ ସାମ୍ନାକୁ ଆସିଛି । ମନ୍ତ୍ରୀଙ୍କ ନାଁରେ କିଛି କର୍ମୀଙ୍କୁ ଟଙ୍କା ମଗାଯାଉଥିବାର ସ୍କ୍ରିନସଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଫେସବୁକରେ ମନ୍ତ୍ରୀଙ୍କ ନାଁରେ ଖୋଲା ଯାଇଥିବା ଫେକ୍ ଆକାଉଣ୍ଟରୁ ଗତ କେଇଦିନ ପୂର୍ବରୁ ଏକ କର୍ମୀଙ୍କୁ ମେସେଜ ଆସିଥିଲା । ଆଉ ଏଥିରେ ଲେଖାଯାଇଥିଲା ମୁଁ କୌଶଳ କୁମାର ଆପଣଙ୍କ ଠାରୁ ସାହାଯ୍ୟ ଚାହୁଁଛି । ଏଭଳି ମେସେଜ ପାଇବା ପରେ କର୍ମୀ ଜଣକ କହିଥିଲେ ଆପଣ ସତରେ କୌଶଳ କୁମାର ନା ତାଙ୍କର କୌଣସି ପ୍ରଂଶସକ । ଫେକ୍ ଆକାଉଣ୍ଟଧାରୀ ଜଣକ କହିଥିଲେ, ମୁଁ କୌଶଳ କିଶୋର କହୁଛି, ତୁମେ କେଉଁଠି ଅଛ । ଏହାଶୁଣି କର୍ମୀ ଜଣକ କହିଥିଲେ, ମୋ ଭଳି ଗରିବକୁ କିଭଳି ମନେ ପକାଇଲେ । ଏହା ଦେଖି ନକଲି ଆକାଉଣ୍ଟଧାରୀ କହିଥିଲେ ମୋର ଟିକିଏ ସାହାଯ୍ୟ ଦରକାର । ଏକ ଜରୁରୀ କାମ ପାଇଁ ଏବେ କିଛି ଟଙ୍କା ଟ୍ରାନ୍ସଫର କରିପାରିବ । କର୍ମୀ ଜଣକ କହିଥିଲେ, କେତେ ଟଙ୍କା ଦରକାର? ଏହା ଶୁଣି ଯୁବକ ଜଣକ କହିଥିଲେ, ୪୦ ହଜାର ଟଙ୍କା ଦରକାର । ଫୋନ ପେ ନା ଗୁଗୁଲ ପେ କରିବ କୁହ?

ତେବେ ମିଳିଥିବା ସୂଚନା ମୁତାବକ, କର୍ମୀ ଜଣକ ଉକ୍ତ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିନଥିଲେ । କିନ୍ତୁ ଏହାର ସ୍କ୍ରିନସଟ୍ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏହାଜାଣିବା ପରେ କେନ୍ଦ୍ରମନ୍ତ୍ରୀ କୌଶଳ କୁମାର ନିଜର ଅସଲି ଆକାଉଣ୍ଟରୁ ଫେକ୍ ଆଇଡି ସମ୍ପର୍କରେ ଲୋକଙ୍କୁ ସତର୍କ କରିବା ସହ କୌଣସି ବ୍ୟକ୍ତିଙ୍କୁ ଟଙ୍କା ନ ଦେବାକୁ କହିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯାଇଛି । ପୋଲିସ ଏବେ ଏହାର ଯାଞ୍ଚ କରୁଛି ।