ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଂଶସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ, “ଯୁବ ଶକ୍ତିଙ୍କ ପାଇଁ ପ୍ରତୀକ ହୋଇଛନ୍ତି ଇସାକ ମୁଣ୍ଡା”

173

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନଜାତି ସମ୍ପ୍ରଦାୟର ଇସାକ୍ ମୁଣ୍ଡା ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିବା ଅବସରରେ ପ୍ରଧାନମନ୍ତ୍ରୀଜୀଙ୍କ ଦ୍ୱାରା ଓଡ଼ିଶାର ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଅଂଚଳର ଜନଜାତି ସମ୍ପ୍ରଦାୟର ଇସାକ ମୁଣ୍ଡାଜୀଙ୍କର ଇଂଟରନେଟ୍ ମାଧ୍ୟମରେ ପରିବର୍ତିତ ଜୀବନଶୈଳିର ଉଦାହରଣ ଆମ ପାଇଁ ଏକ ନୂଆ ଅନୁଭବ । ଦିନ ମଜୁରିଆରୁ ଇଂଟରନେଟ୍ ସେନ୍ସସନ ପାଲଟିଥିବା ଇସାକ ମୁଣ୍ଡାଜୀ ଓଡ଼ିଆଙ୍କ ସାମାଜିକ ଜୀବନର ଦୈନିକ ଖାଦ୍ୟ ‘ପଖାଳ’ ଖାଇବାର ଭିଡ଼ିଓ ପ୍ରସ୍ତୁତ କରି ଆଜି ଜଣେ ସଫଳ ୟୁଟ୍ୟୁବର ହେବା ସହ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ପାରୁଛନ୍ତି । ତାଙ୍କର ଏହି ପ୍ରୟାସ ସବୁଠାରୁ ଅନନ୍ୟ । ଇସାକ ମୁଣ୍ଡା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ସ୍ଥାନୀୟ ପାରମ୍ପାରିକ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପଦ୍ଧତି, ସାମାଜିକ ଜୀବନଶୈଳିର ଭିଡ଼ିଓ ପ୍ରସ୍ତୁତ କରିବା ତଥା ସଂସ୍କୃତି ଏବଂ ବ୍ୟଞ୍ଜନର ପ୍ରଚାରପ୍ରସାର କରି ଆମକୁ ପ୍ରେରଣା ଦେବା ସହ ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଅଲମ୍ପିକ ଗେମ୍ସରେ ଭାରତୀୟ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବା ସହ କାରଗିଲର ବୀରଯୋଦ୍ଧାଙ୍କ ଗାଥା, ମାଇଁ ହ୍ୟାଣ୍ଡଲୁମ, ମାଇଁ ପ୍ରାଇଡ, ଅମୃତ ମହୋତ୍ସବ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ଯୋଗଦାନ ଭଳି ଅନେକ ବିଷୟ ଉପରେ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ଆଇଆଇଟି ମାଡ୍ରାସର ଷ୍ଟାର୍ଟ-ଅଫ୍ ଦ୍ୱାରା ପ୍ରସ୍ତୁତ ଥ୍ରୀଡି ପ୍ରିଣ୍ଟେଡ ହାଉସ ତଥା ରାଂଚି, ଇନ୍ଦୋ. ରାଜକୋଟରେ ନିର୍ମାଣ କ୍ଷେତ୍ରରେ ଟେକ୍ନୋଲୋଜି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଅଭିନବ ପ୍ରୟାସ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।