ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପାଲଟା ଜବାବ୍ । ମହିଳାଙ୍କ ପାଇଁ କ’ଣ କରିଛନ୍ତି ମୋଦି ସରକାର, କଡ଼ାଗଣ୍ଡା କରି ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ।

98

କନକ ବ୍ୟୁରୋ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦି ମହିଳା ବିରୋଧୀ’ କହୁଥିବା ବେଳେ ବାସ୍ତବରେ ପ୍ରଧାନମନ୍ତ୍ରୀ ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । ମହିଳା ମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦି ସରକାରଙ୍କ ମୂଳସ୍ତମ୍ଭ ବୋଲି ଢ଼େଙ୍କାନାଳରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେବଳ ଏତିକି ନୁହେଁ ଧର୍ମେନ୍ଦ୍ର କହିଛନ୍ତି କି, ଯେ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ପାଇଁ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣ କରୁଛନ୍ତି । ମୋଦି ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି ।

କେବଳ ଓଡ଼ିଶାରେ ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ଓଡିଶାର ପଛୁଆ ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗ୍ରାମାଂଚଳର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ୭.୭୫ କୋଟି ଦିଆଯାଇଛି । ପୋଷଣ ଅଭିଯାନରେ ଓଡିଶାର ୩୦ଟି ଜିଲ୍ଲାକୁ ଅର୍ନ୍ତଭୁକ୍ତ କରାଯାଇଛି । ଏହି ଯୋଜନାରେ କେନ୍ଦ୍ରର ଭାଗ ଅନୁସାରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫୧.୭୧ କୋଟି ଟଙ୍କା ଜାରୀ କରାଯାଇଛି ।

ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୯.୪୮ ଲକ୍ଷ ଆକାଉଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲାଯାଇଛି । ବେଟି ବଚାଓ ଏବଂ ବେଟି ପଢାଓ ଓଡିଶାର ଗ୍ରାମାଂଚଳରେ ଆଣିଛି ବଡ ପରିବର୍ତନ ଆଣିଛି । ଓଡିଶାରେ ୧୧୪ଟି କସ୍ତୃରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିଚାଳନା ହେଉଥିବା ବେଳେ ଏହା ଦ୍ୱାରା ୯ ହଜାର ୫୪୨ ଜଣ ଛାତ୍ରୀ ଉପକୃତ ହେଉଛନ୍ତି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ୮ ହଜାର ୭୦୨ ଜଣ ମହିଳା ଏହି ଯୋଜନାରେ ସମସ୍ତ ସେବା ଓ ସୁବିଧା ସହାୟତା ପାଇପାରୁଛନ୍ତି କିନ୍ତୁ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପରୀ ରଥ ବୁଲାଇଲେ । ମାତ୍ର ନୟାଗଡ଼ର ଛୋଟ ଶିଶୁ ପରୀ ମାମଲା କଣ ହେଲା ? ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।