ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଭାଗ୍ୟଶ୍ରୀ ସାହୁ କଳା ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି

123

କନକ ବ୍ୟୁରୋ : ନିଜର କଳାକୃତି ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟଶ୍ରୀ ନିଜର କଳା ପଟ୍ଟଚିତ୍ର ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ତାଙ୍କୁ ଅଭିନନ୍ଦନ । ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶରେ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରିବା କଥା କହି ଓଡ଼ିଶାର ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ଉଦାହରଣ ଦେଇଥିଲେ । ତାଙ୍କ ଦ୍ୱାରା ପଥର ଉପରେ ପଟ୍ଟଚିତ୍ର ଅଙ୍କନର ବାଖ୍ୟା କରିବା ସହ ଭାଗ୍ୟଶ୍ରୀଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଇଥିଲେ । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ ଓ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।