ପାଖେଇ ଆସୁଛି ନିର୍ବାଚନ: ଉତରପ୍ରଦେଶରେ ପହଁଚି ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

82

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜୋର୍ ହେବାରେ ଲାଗିଛି ପ୍ରଚାର । କରୋନା ପାଇଁ ର୍ୟାଲି ଓ ସଭା ଉପରେ ନିର୍ବାଚନ କମିଶନ୍ଙ୍କ କଟକଣା ପରେ ଏବେ ଭୋଟରଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରୁଛନ୍ତି ନେତା, ମନ୍ତ୍ରୀ ।

ଖୁବଶୀଘ୍ର ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଲାଗିପଡିଛନ୍ତି ନେତା ଓ ମନ୍ତ୍ରୀ । ଉତର ପ୍ରଦେଶରେ ପୁଣିଥରେ ସତାକୁ ଫେରିବା ପାଇଁ ଜୋରସୋର ପ୍ରୟାସ କରୁଛି ବିଜେପି । ଯାହାକୁ ନେଇ ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମିରଟ ଓ ଦାଦ୍ରିରେ ପହଁଚି ଘର ଘର ବୁଲି ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଜନୋରରେ ପହଁଚି ଦ୍ୱାର ଦ୍ୱାର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ସେପଟେ ରାଜ୍ୟରେ ବିଜେପିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ସମାଜବାଦୀ ପାର୍ଟି ।

ସେପଟେ ପଂଜାବରେ ପୁଣିଥରେ ସରକାର ଗଢିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି କଂଗ୍ରେସ । ଗୁରୁବାର ପଂଜାବରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅମରିତସରରେ ପହଁଚିବା ପରେ ପ୍ରଥମେ ସ୍ୱର୍ଣ୍ଣ ମନ୍ଦିର ଯାଇଛନ୍ତି ରାହୁଲ । ଏହାସହ ଗୁରୁଦ୍ୱାରା ଲଙ୍ଗରରେ ମଧ୍ୟ ଭୋଜନ କରିଛନ୍ତି ରାହୁଲ ଗାନ୍ଧି । ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ନିର୍ବାଚନ ପ୍ରଚାର କରିବାର ଯୋଜନା ରହିଛି ।

ନିର୍ବାଚନ ପୂର୍ବରୁ ଗୋଆ ରାଜନୀତି ବି ବେଶ ସରଗରମ ହୋଇ ଉଠିଛି । ବିଜେପିରୁ ଆସନ ନମିଳିବା ପରେ ପାଣାଜି ସିଟ୍ରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଆଉ ଗୁରୁବାର ଉତ୍ପଳ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ଫେବୃଆରୀ ମାସରେ ଉତର ପ୍ରଦେଶ, ପଂଜାବ, ଗୋଆ, ଉତରାଖଣ୍ଡ ଓ ମଣିପୁରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ମାର୍ଚ୍ଚ ୧୦ ତାରିଖରେ ଆସିବ ଫଳାଫଳ ।