ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବି । ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେପି ଯୁଗ

660

କନକ ବ୍ୟୁରୋ : ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତେଲେଙ୍ଗାନାର ହାଇଦ୍ରାବଦ ସହରରେ ଅନୁଷ୍ଠିତ ହେଉଛି । ଏହି ବୈଠକର ଦ୍ୱିତୀୟ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଦେଶରେ ବିଜେପିର ରାଜ ଚାଲିବ । ଏହି ସମୟ ମଧ୍ୟରେ ଭାରତ ବିଶ୍ୱଗୁରୁ ହୋଇଯିବ ବୋଲି ମତ ରଖିଛନ୍ତି ଅମିତ୍ ଶାହା । ସେ ଆହୁରି କହିଛନ୍ତି କି ବଂଶବାଦ, ଜାତିବାଦ ଓ ତୃଷ୍ଟିକରଣ ଦେଶର ରାଜନୀତି ପାଇଁ ଏକ ବଡ ଅଭିଶାପ ଥିଲା ।

ଅନ୍ୟପଟେ ଶାହା କହିଛନ୍ତି କି ଖୁବଶୀଘ୍ର ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଚାଲିଥିବା ପରିବାରବାଦ ଶାସନକୁ ବିଜେପି ସମାପ୍ତ କରିଦେବ । ଏହାସହ ତାମିଲନାଡୁ ଓ ଓଡିଶାରେ ବିଜେପି ଖୁବଶୀଘ୍ର ଶାସନ ଭାର ସମ୍ଭାଳିବ ବୋଲି ଶାହା କହିଛନ୍ତି ।

କେବଳ ସେତିକି ନୁହେଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଗୋଧ୍ରା ହତ୍ୟାକାଣ୍ଡ ନେଇ ସୁପ୍ରମି କୋର୍ଟ ଦେଇଥିବା ରାୟକୁ ଶାହା ଐତିହାସିକ ବୋଲି କହିଛନ୍ତି । ଶାହା କହିଛନ୍ତି କି ମୋଦୀ ହେଉଛନ୍ତି ଶିବଙ୍କର ଦ୍ୱିତୀୟ ରୂପ । ତାଙ୍କ ଉପରକୁ ବିରୋଧୀମାନେ ଯେତେ ବିଷ ଫୋପାଡିଛନ୍ତି ସେ ତାକୁ ପାନ କରିଛନ୍ତି ବୋଲି ଶାହା କହିଛନ୍ତି । ସେପଟେ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି କି, କଂଗ୍ରେସ ଏକ ପରିବାରବାଦ ପାର୍ଟି ଓ ଏହା ଭିତରେ କିଛି ନେତା ଲୋକତନ୍ତ୍ରକୁ ଖୋଜୁଛନ୍ତି ।