ଗ୍ରାଚ୍ୟୁଇଟି ବିଲରେ କ୍ୟାବିନେଟ୍ ମୋହର: ଟିକସମୁକ୍ତ ଗ୍ରାଚ୍ୟୁଇଟି ୨ ଗୁଣ ହେବ

43

କନକ ବ୍ୟୁରୋ: ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ଷେତ୍ରରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ରାଶିକୁ ଟିକସମୁକ୍ତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗତକାଲି ଏ ସଂକ୍ରାନ୍ତ ବିଲ୍ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଫଳରେ ଆଗାମୀ ଦିନରେ ଗ୍ରାଚ୍ୟୁଇଟି ପୈଠ (ସଂଶୋଧନ) ବିଲ୍ ୨୦୧୭କୁ ସଂସଦରେ ଆଗତ କରାଯିବ।

ଏହି ବିଲ୍ ସଂସଦରେ ଗୃହୀତ ହେଲେ ଘରୋଇ କ୍ଷେତ୍ର, ସରକାରୀ ଉଦ୍ୟୋଗ ଏବଂ ସ୍ୱୟଂଶାସିତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ କି ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍ (ପେନସନ୍) ରୁଲସ-୧୯୭୨ ଅଧୀନରେ ଆସୁନାହାନ୍ତି ସେମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟିକୁ ଟିକସମୁକ୍ତ କରାଯିବ । ବର୍ତ୍ତମାନ ଏହି କ୍ଷେତ୍ରର କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ରାଶି ଉପରେ ଟିକସ ଲାଗୁ ହେଉନାହିଁ । ୧୦ ଲକ୍ଷ ଟଙ୍କାରୁ ଅଧିକ ଗ୍ରାଚ୍ୟୁଇଟି ନେଲେ ଏହା ଉପରେ ଟିକସ ଲାଗୁ ହେଉଛି । କିନ୍ତୁ ସପ୍ତମ ବେତନ କମିସନ ଲାଗୁ ହେବା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ଉପରେ ଟିକସ ଲାଗୁ ହେଉ ନଥିଲା । କିନ୍ତୁ ସପ୍ତମ ବେତନ କମିସନ ଲାଗୁ ହେବା ପରେ ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଇଟି ଉପରେ ଟିକସ ଲାଗୁ ସୀମାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୬ ଜାନୁଆରି ପହିଲାରୁ ଏହାକୁ ଲାଗୁ କରାଯାଇଛି ।

ଫଳରେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମଧ୍ୟ ଗ୍ରାଚ୍ୟୁଇଟି ଉପରେ ଟିକସ ଲାଗୁ ସୀମା ଦୁଇ ଗୁଣ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଗ୍ରାଚ୍ୟୁଇଟି ପ୍ରଦାନ ଆଇନ ୧୯୭୨ରେ ସଂଶୋଧନ ନିଷ୍ପତ୍ତି ନିଆଯାଇଛି ।

ନିୟମ କ’ଣ?

୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଗ୍ରାଚ୍ୟୁଇଟି ନିୟମ ଲାଗୁ ହୋଇଥାଏ । ଥରେ ଏହି ନିୟମ ପରିସରକୁ ଆସିଗଲେ କମ୍ପାନିର କର୍ମଚାରୀ ସଂଖ୍ୟା ୧୦ରୁ କମିଗଲେ ମଧ୍ୟ ଏହି ନିୟମ ବଳବତ୍ତର ରହିଥାଏ । ଯଦି କୌଣସି ସଂସ୍ଥା ଏହି ନିୟମ ଅଧୀନରେ ଆସୁ ନଥାଏ ତାହେଲେ ସେଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଏକ୍ସଗ୍ରାସିଆ ଦେଇଥାନ୍ତି ।

କେଉଁମାନେ ପାଇବାକୁ ଯୋଗ୍ୟ

ଗୋଟିଏ ସଂସ୍ଥାରେ ଜଣେ କର୍ମଚାରୀ ୫ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ କାର୍ଯ୍ୟ କରିଥିଲେ ଗ୍ରାଚ୍ୟୁଇଟି ପାଇବାକୁ ଯୋଗ୍ୟ ହୋଇଥାନ୍ତି । ସାଧାରଣତଃ ଅବସର ନେବା ପରେ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଇଥାଏ । ଏତଦବ୍ୟତୀତ ଅନ୍ୟ କେତେକ ପରିସ୍ଥିତିରେ ମଧ୍ୟ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ ନିୟମ ରହିଛି । ଯେପରିକି ଗୋଟିଏ ସଂସ୍ଥାରେ ଯଦି କୌଣସି କର୍ମଚାରୀ ଲଗାତାର ୫ ବର୍ଷ କାର୍ଯ୍ୟ କରି ଇସ୍ତଫା ଦିଅନ୍ତି ସେ ଗ୍ରାଚ୍ୟୁଇଟି ପାଇଥାନ୍ତି । ଏତଦବ୍ୟତୀତ ୫ ବର୍ଷ ଚାକିରି ପୂରଣ କରିବା ପୂର୍ବରୁ ଯଦି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟେ ତାହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଗ୍ରାଚ୍ୟୁଇଟି ପ୍ରଦାନ ନିୟମ ରହିଛି । ସେହିଭଳି ୫ ବର୍ଷ ପୂରା ହେବା ପୂର୍ବରୁ ଯଦି କର୍ମଚାରୀ କାର୍ଯ୍ୟ କରିବାକୁ ଅକ୍ଷମ ହୋଇଯା’ନ୍ତି କିମ୍ବା ରୋଗଗ୍ରସ୍ତ ହୋଇଯା’ନ୍ତି ତାହେଲେ ମଧ୍ୟ ଗ୍ରାଚ୍ୟୁଇଟି ପାଇଥାନ୍ତି ।