‘ଭାରତନେଟ୍’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଖର୍ଚ୍ଚ ହେବ ୧୯,୪୦୧ କୋଟି ଟଙ୍କା, ୧୬ ରାଜ୍ୟର ୨.୫ ଲକ୍ଷ ଗାଁରେ ପହଂଚିବ ଇଣ୍ଟରନେଟ୍

268

କନକ ବ୍ୟୁରୋ : ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠଳରେ ଦେଶର ୧୬ ଟି ରାଜ୍ୟ ପାଇଁ ଭାରତନେଟ ଯୋଜନାରେ ୧୯,୦୪୧ କୋଟି ଟଙ୍କା ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ୧୬ ଟି ରାଜ୍ୟର ୨.୫ ଲକ୍ଷ ଗାଁକୁ ଭାରତନେଟ ଯୋଜନାରେ ଇଣ୍ଟରନେଟ୍ ଯୋଗାଇଦେବାକୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟ ପିପିପି ମଡେଲ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି ।

ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ କହିଛନ୍ତି କି ପ୍ରତି ଗାଁକୁ ସୂଚନା ରାଜମାର୍ଗ ପହଂଚାଇବା ଉର୍ଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭାରତନେଟ’ ଯୋଜନାର ଘୋଷଣା କରିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ କି ୧୦୦୦ ଦିନରେ ୬ ଲକ୍ଷ ଗାଁକୁ ଭାରତନେଟ୍ ମାଧ୍ୟମରେ ଅପ୍ଟିକାଲ ଫାଇବର ବ୍ରଡବ୍ୟାଣ୍ଡ କନେକସନ୍ ଯୋଗାଇ ଦିଆଯିବ ।

ରବିଶଂକର ପ୍ରସାଦ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଏବେ ସୁଦ୍ଧା ୧.୫୬ ଲକ୍ଷ ଗ୍ରାମ ପଂଚାୟତକୁ ଅପ୍ଟିକାଲ ଫାଇବର ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଛି । ଏହାସହ ଏହାକୁ ଆହୁରି ୨.୫ ଲକ୍ଷ ଗ୍ରାମକୁ ଯୋଡିବା ପାଇଁ ଆଜି ୧୯,୦୪୧ କୋଟି ଟଙ୍କାର ମଞ୍ଜୁରୀ ମିଳିଛି । ଏହି କାର୍ଯ୍ୟ ପିପିପି ମଡେଲ ମାଧ୍ୟମରେ ହେବ ବୋଲି ରବିଶଂକର ପ୍ରସାଦ କହିଛନ୍ତି ।

ଅନ୍ୟପଟେ ବିଦ୍ୟୁତ ପରିଚାଳନାରେ ପରିବର୍ତ୍ତନ ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ରାଜ୍ୟ ସରକାର ମାନଙ୍କୁ ପ୍ଲାନ ମଗାଯିବ । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେବେ । ଏହାସହ ବଡ ବଡ ସହରରେ ସ୍ୱୟଂଚାଳିତ ବିଜୁଳି ଯୋଗାଣ ବ୍ୟବସ୍ଥା ପାଇଁ ବି କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା କଥା ବୈଠଳରେ ଆଲୋଚନା ହୋଇଛି ।