ସାରା ଦେଶରେ ୩୦୦ କି.ମି ମେଟ୍ରୋ ରେଳପଥ ପାଇଁ ମଞ୍ଜୁରୀ, ଓଡ଼ିଶା ଉପରେ ପଡିବ କି ମୋଦିଙ୍କ ନଜର?

738

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟରେ ରେଲୱେ ଉପରେ ମଧ୍ୟ ଫୋକସ କରାଯାଇଛି । ଦେଶରେ ଯାତାୟତର ପ୍ରମୁଖ ମାଧ୍ୟମ ସାଜିଥିବା ରେଲୱେର ଆଧୁନୀକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ନୂଆ ରୁଟରେ ଟ୍ରେନ ଚଳାଚଳ ନେଇ ମଧ୍ୟ ଘୋଷଣା କରାଯାଇଛି । ଏହାଛଡା ଦେଶର ମେଟ୍ରୋ ଚଳାଚଳକୁ ବର୍ଦ୍ଧିତ କରିବାକୁ ବଜେଟରେ ଘୋଷଣା କରାଯାଇଛି । ଚଳିତ ବଜେଟରେ ଦେଶରେ ୩୦୦ କିଲୋମିଟର ନୂଆ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଆଉ ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପରେ ଓଡିଶାର ଟ୍ୱିନ୍ ସିଟିରେ ମେଟ୍ରୋ ଗଡିବା ନେଇ ଆଶା ସଞ୍ଚାର ହୋଇଛି ।

କେନ୍ଦ୍ର ବଜେଟ ପୂର୍ବରୁ ରାଜ୍ୟ ବଜେଟ ଅଧିବେଶନରେ ଟ୍ୱିନ୍ ସିଟିରେ ମେଟ୍ରୋ ଗଡିବା ନେଇ ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ନବୀନ ସରକାର । ମେଟ୍ରୋ ରେଳ ସେବା ଦ୍ୱାରା ଐତିହ୍ୟସମ୍ପନ୍ନ ରୌପ୍ୟ ନଗରୀ କଟକକୁ ସ୍ମାର୍ଟ ସିଟି ଭୁବନେଶ୍ୱର ସହିତ ସଂଯୋଗ କରାଯିବା ନିମନ୍ତେ ତୁରନ୍ତ ସରକାର ଉଦ୍ୟମ କରିବେ ବୋଲି ବଜେଟ ଅଧିବେଶନ ଅଭିଭାଷଣରେ କହିଥିଲେ ରାଜ୍ୟପାଳ । ଏପରିକି ନିଜ ଇସ୍ତାହାର ପତ୍ରରେ ମଧ୍ୟ ଟ୍ୱିନ୍ ସିଟିକୁ ମେଟ୍ରୋ ଗଡିବା ନେଇ ପ୍ରତିଶୃତି ଦେଇଥିଲା ବିଜେଡି । ଆଉ ଏସବୁ ଭିତରେ ଯେତେବେଳେ ଦେଶରେ ମେଟ୍ରୋ ସେବାକୁ ବର୍ଦ୍ଧିତ କରିବାକୁ ବଜେଟରେ ଘୋଷଣା କରାଯାଇଛି ସେତେବେଳେ ଓଡିଶାରେ ମେଟ୍ରୋ ଟ୍ରେନ୍ ଗଡିବା ନେଇ ଆଶା ସଞ୍ଚାର ହୋଇଛି ।

ନିର୍ବାଚନ ପରେ ବିକାଶ ନାଁରେ ବିଜେଡି-ବିଜେପି ମଧ୍ୟରେ ସର୍ମ୍ପକର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସଂସଦରେ ବିଭିନ୍ନ ବିଲକୁ ସମର୍ଥନ କରି ପରୋକ୍ଷରେ ବିଜେପିର ବଡ ସହଯୋଗୀ ଭାବେ ଉଭା ହୋଇଛି ବିଜେଡି । ବାଚସ୍ପତି ନିର୍ବାଚନ ଠାରୁ ଆରମ୍ଭ କରି ଆଧାର ବିଲ୍ ପାରିତ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏନଡିଏ ସରକାରଙ୍କୁ ସମର୍ଥନ କରିଛି ବିଜେଡି । ଆଉ ଏଭଳି ସ୍ଥଳେ ପ୍ରତିବଦଳରେ ରାଜ୍ୟରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିପାରନ୍ତି ନବୀନ ସରକାର ।