ରାତି ଅଧରେ ଘରେ ପଶି ଡକାୟତି ପରେ ଗୁଳିମାଡ଼: ବରଗଡ ଜାର୍ମୁଡା ଗାଁର ବସନ୍ତ ପ୍ରଧାନ ମୃତ, ପୁଲିସର ଛାନଭିନ ଆରମ୍ଭ

ସେପଟେ, ବ୍ରଜରାଜନଗରରେ ପୂର୍ବତନ କାଉନସିଲରଙ୍କୁ ଗୁଳିମାଡ

132

କନକ ବ୍ୟୁରୋ: ରାତି ଅଧରେ ଘରେ ପଶି ଲୁଟ ପରେ ଗୁଳିମାଡ଼ । ବରଗଡ ଥାନା ଜାମୁର୍ଡା ଗାଁରେ ଏହି ଘଟଣା ଘଟିଛି । ଘର ଛାତ ଉପରେ ଶୋଇଥିବାବେଳେ ବସନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୩-୪ ଜଣ ଦୁର୍ବୃତ ପଶିଥିଲେ । ଏହା ପରେ ଘରୁ ଲୁଟ କରିବା ସହ ବସନ୍ତ ପ୍ରଧାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତାଙ୍କୁ ପ୍ରଥମେ ଏକ ଘରୋଇ ହସପିଟାଲ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

ସେପଟେ, ଝାରସୁଗୁଡା ବ୍ରଜରାଜନଗରରେ ପୂର୍ବତନ କାଉନସିଲରଙ୍କୁ ଗୁଳିମାଡ ହୋଇଛି । ପୂର୍ବତନ କାଉନସିଲର ସଞ୍ଜୟ ଗୁପ୍ତା ଓରଫ ଗୁଡୁ ଗୁପ୍ତାଙ୍କ ବ୍ରଜରାଜନଗର ନିକଟସ୍ଥ ଓରିଏଂଟ ଥାନା ପାଖରେ ଗୁଳିମାଡ ହୋଇଛି । ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପହଁଚି ପୋଲିସ୍ ଛାନଭିନ୍ ଆରମ୍ଭ କରିଛି ।

ଅନ୍ୟପଟେ, କଟକ ଯୋବ୍ରାରେ ମାଛମରା ଘଟଣାକୁ ନେଇ ଛୁରାମାଡରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ଦୁର୍ଦ୍ଦାନ୍ତ ଅପରାଧି ତପନ ନାୟକ ବୋଲି ଜଣାପଡିଛି । ମାଛମରା ଘଟଣାକୁ ନେଇ ତପନଙ୍କ ସହ ଅଭିଯୁକ୍ତ ହାପି ମହାନ୍ତିର ବଚସା ହୋଇଥିଲା । ଏହା ପରେ ତପନକୁ ଛୁରାମାଡ କରିଥିଲା ହାପି । ଗୁରୁତର ଅବସ୍ଥାରେ ତପନକୁ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତପନ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।