ମାଲକାନଗିରି କୋଲାଗଣ୍ଡା ସେବାଶ୍ରମରେ ଅଜଣା ରୋଗର ଆତଙ୍କ । । ତିନି ଦିନରେ ଗଲାଣି ୨ ଛାତ୍ରଙ୍କ ଜୀବନ ।

69

କନକ ବ୍ୟୁରୋ: ମାଲକାନଗିରି କୋଲାଗଣ୍ଡା ସେବାଶ୍ରମରେ ଅଜଣା ରୋଗର ଆତଙ୍କ । ତିନି ଦିନରେ ଗଲାଣି ୨ ଛାତ୍ରଙ୍କ ଜୀବନ । ପିଲାଙ୍କ ଗୋଡ଼ ହାତ ଫୁଲିଯାଉଛି । ପେଟ ଓ ମୁଣ୍ଡ ବ୍ୟଥା ସହ ଭୀଷଣ ଜ୍ୱର ହେଉଛି । ସେବାଶ୍ରମରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ପିଲାଙ୍କ ନମୂନା ସଂଗ୍ରହ କରିଥିଲେ ବି ରୋଗ ଚିହ୍ନଟ କରାଯାଇପାରୁ ନାହିିଁ । ଅନ୍ୟପଟେ ବିଷାକ୍ତ ଖାଦ୍ୟ ଯୋଗୁଁ ପିଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଛନ୍ତି ସିଡିଏମଓ ।

  • ସେବାଶ୍ରମରେ ଅଜଣା ରୋଗର ଆତଙ୍କ
  • ତିନି ଦିନରେ ଗଲା ୨ ଛାତ୍ରଙ୍କ ଜୀବନ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୋଲାଗଣ୍ଡା ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ର ରଞ୍ଜିତ ମୁଚିକା ଅଜଣା ରୋଗରେ ଆଖି ବୁଜିଛନ୍ତି । ତେବେ ଅଗଷ୍ଟ ୨୩ ତାରିଖରେ ରଞ୍ଜିତ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଗୋଡହାତ ଫୁଲି ଯାଇଥିଲା, ଭୀଷଣ ଜ୍ୱର ସହ ପେଟ ଓ ମୁଣ୍ଡ ବ୍ୟଥା ହୋଇଥିଲା ଏହାପରେ ତୁରନ୍ତ ତାଙ୍କୁ ପିଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା

ଅଗଷ୍ଟ ୨୭ ତାରିଖରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରଞ୍ଜିତଙ୍କ ଗାଁ ତୁମସାପାଲି ଚିଡିପାଲିରେ ଛାଡିଥିଲେ ସ୍କୁଲ କର୍ତୃପକ୍ଷ । ହେଲେ ଅଗଷ୍ଟ ୨୯ ତାରିଖ ବେଳକୁ ରଞ୍ଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ଆଉ ଗାଁରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା

ସମାନ ଲକ୍ଷଣରେ ଅଷ୍ଟମ ଶ୍ରେଣୀ ଛାତ୍ର ସନ୍ତୁ କୁରାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁଇ ଦିନରେ ଅଜଣା ରୋଗରେ କୋଲାଗଣ୍ଡା ସେବାଶ୍ରମରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଭୟ ବଢାଇ ଦେଇଛି । ଏବେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଜଣା ରୋଗରେ ଆକ୍ରାନ୍ତ ୨୦ ଜଣ ପିଲାଙ୍କ ଚିକିତ୍ସା ଚାଲିଛି ।

କୋଲାଗଣ୍ଡା ସେବାଶ୍ରମରେ ଅଜଣା ରୋଗର ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବିଦ୍ୟାଳୟରେ ପହଞ୍ଚି ୧୪୩ ଜଣ ଛାତ୍ରଛାତ୍ରୀଙ୍କ ନମୂନା ସଂଗ୍ରହ କରିଛନ୍ତି । ସନ୍ଦେହରେ ଡେଙ୍ଗୁ, ମେଲେରିଆ, କରୋନା ପରୀକ୍ଷା କରାଯାଇଛି, ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ରୋଗ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି, ହେଲେ ଏହି ଅଜଣା ରୋଗ ପଛରେ ବିଷାକ୍ତ ଖାଦ୍ୟ ଥିବା ସନ୍ଦେହ କରୁଛନ୍ତି ସିଡିଏମଓ । ଏହା ସଂକ୍ରାମକ ରୋଗ ହୋଇଥିଲେ, ସ୍କୁଲ ପିଲାଙ୍କ ପାଖରେ ସୀମିତ ନରହି ଆଖ ପାଖ ଅଞ୍ଚଳକୁ ମାଡି ଯାଇଥାନ୍ତା ବୋଲି ସେ କହିଛନ୍ତି ।

ପ୍ରାୟ ଏକ ସପ୍ତାହ ତଳେ ପାଣ୍ଡ୍ରିପାଣି ସେବାଶ୍ରମରେ ଜଣେ ଛାତ୍ରଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ସେହିପରି ନନ୍ଦିନିଗୁଡା ସେବାଶ୍ରମରେ ମଧ୍ୟ କିଛି ଦିନ ପୂର୍ବରୁ ଅଜଣା ରୋଗରେ ଜଣେ ଛାତ୍ର ଆଖି ବୁଜିଥିବା ଖବର ମିଳିଛି । ଆଉ ଏବେ କୋଲାଗଣ୍ଡା ସେବାଶ୍ରମରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଆବାସିକ ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି ହୋଇଛି ।