ନବରଙ୍ଗପୁର ଫୁଟକାର ଗାଁରେ ଅଜଣା ଜନ୍ତୁ ଆତଙ୍କ । ରାତିରେ ପଶି ଗାଈଗୋରୁଙ୍କୁ ଆକ୍ରମଣ : ଲୋକଙ୍କ ଭିତରେ କୋକୁଆ ଭୟ

548

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଫୁଟକର ଗାଁରେ ବାଘ ଆତଙ୍କ । ଗତ କିଛି ଦିନ ଧରି ଗାଁରେ ଅଜଣା ପଶୁ ପଶି ଗାଈ ଗୋରୁଙ୍କୁ ଆକ୍ରମଣ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଜଣା ଜନ୍ତୁ ହେଉଛି ବାଘ । ରାତିରେ ଗାଁରେ ପଶି ଗାଇ ଗୋରୁଙ୍କ ଉପରେ କରୁଛି ଆକ୍ରମଣ । ଏହି ଜନ୍ତୁର ଆକ୍ରମଣରେ ଗାଁର ଦୁଇଟି ଗାଇଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଗାଈ ନିଖୋଜ ରହିଛି । ଅନ୍ୟ କିଛି ଗାଈ ଗୋରୁଙ୍କ ଦେହରେ କ୍ଷତ ଚିହ୍ନ ବି ରହିଛି । ଏହାକୁ ନେଇ ପୁରା ଗାଁ ଲୋକେ ଏବେ ଆତଙ୍କିତ । ନବରଙ୍ଗପୁର ସଦର ମହକୁମା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଘଂଚ ପାହାଡ ଘେରା ହେଉଛି ଏହି ଗାଁ ।

ଗ୍ରାମବାସୀ ଘରେ ଛୋଟଛୋଟ ପିଲାଙ୍କୁ ଧରି ରହୁଥିବାରୁ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ଗାଇ ଗୋରୁ ଏପରି ଆହତ ହେବା ଖବର ପାଇବା ପରେ ଏକ ଡାକ୍ତରୀ ଟିମ୍ ଗାଁରେ ପହଁଚି ଚିକିତ୍ସା କରି ଫେରିଛି । ନବରଙ୍ଗପୁର ବନବିଭାଗ ଗାଁ ନିକଟରେ ଥିବା ଜନ୍ତୁର ପାଦ ଚିହ୍ନର ମ୍ୟାପ୍ ସଂଗ୍ରହ କରିବା ସହ ଫଟୋ ଉଠାଇଛନ୍ତି । ଅଧିକ ପରୀକ୍ଷା ପାଇଁ ଏହାର ନମୂନା ସଂଗ୍ରହ ହୋଇଛି । ନମୂନା ରିପୋର୍ଟ ଆସିବା ପରେ ଅଜଣା ଜନ୍ତୁ ବାଘ କିଂବା ଅନ୍ୟ କଣ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।

Comments are closed.