ଜମି ବିକ୍ରି ଅନୁମତି ନମିଳିବାରୁ ଜୀବନ ହାରିଲେ ଦିବ୍ୟାଙ୍ଗ ଜଗଦୀଶ : ଜୀବନ ଯିବା ପରେ ଆରମ୍ଭ ହୋଇଛି ତନାଘନା, ନୂଆପଡ଼ା ସଦର ତହସିଲଦାର ନିଲମ୍ବିତ

149

କନକ ବ୍ୟୁରୋ: ନୂଆପଡା ତହସିଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିବ୍ୟାଙ୍ଗ ଜଗଦୀଶ ଚୌହ୍ୱାନଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ନିଜ ଜମି ବିକ୍ରି କରିବା ପାଇଁ ଦିବ୍ୟାଙ୍ଗ ଜଗଦୀଶ ବାରମ୍ବାର ସଦର ତହସିଲ ଅଫିସକୁ ଦୌଡି ଦୌଡି ନିରାଶ ହୋଇଥିଲେ । ହେଲେ ତହସିଲଦାର ତାଙ୍କୁ ନିଜ ଜମି ବିକ୍ରି କରିବା ପାଇଁ ଅନୁମତି ଦେଇନଥିଲେ । ଅସହାୟ ହୋଇ ଜଗଦୀଶ ଗତ ଗୁରୁବାର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଜଗଦୀଶଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ପରେ ଗାଁକୁ ଆଣାଯାଇଥିଲା ମୃତଦେହ ।

ଜଗଦୀଶଙ୍କ ମୃତ୍ୟୁ ଖବର ପାଇ ନୂଆପଡା ପୁଲିସ ସାଇଟିଂଫିକ ଟିମ୍ ଓ ଡଗସ୍କ୍ୱାର୍ଡ ନେଇ ତହସିଲଦାର ଅଫିସରେ ତଦନ୍ତ କରିଥିଲେ । ଅନ୍ୟପଟେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବି ପୂରଣ ନହେବା ଯାଏଁ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ । ପରେ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଜଗଦୀଶଙ୍କ ସ୍ତ୍ରୀଙ୍କୁ ଆରଏମଆରସିରେ ଚାକିରୀ, ପିଲାଙ୍କ ପାଠ ପଢା ପାଇଁ ସହାୟତା ଦେବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ ଜଗଦୀଶ ଚୌହ୍ୱାନଙ୍କ ଅନ୍ତିମ ସଂସ୍କାର କରାଯାଇଛି ।