ବେରୋଜଗାରୀରେ ହରିୟାଣା, ଚାକିରୀ ଦେବାରେ ଛତିଶଗଡ ସବୁଠାରୁ ଆଗରେ। ଜାଣନ୍ତୁ ଦେଶର ସ୍ଥିତି କଣ?

286

କନକ ବ୍ୟୁରୋ: ଭାରତରେ ବେରୋଜଗାରୀ ଦର ନଭେମ୍ବର ମାସରେ ଗତ ୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମଆଇଇ)ର ନଭେମ୍ବରର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ବେରୋଜଗାରୀ ମାମଲାରେ ସହରଠାରୁ ଗାଁ ଭଲ ସ୍ଥିତିରେ ରହିଛି । ତେବେ ଆସନ୍ତୁ ଜାଣିବା କେଉଁଠି କେମିତି ରହିଛି ବେରୋଜଗାରୀ ଦର । ଗତ ୧୨ ମାସରେ ରିପୋର୍ଟ ରହିଛି କଣ?

ନଭେମ୍ବର ମାସରେ ରିପୋର୍ଟରୁ ଜଣାପଡୁଛି ଯେ ସହରରେ ବେରୋଜଗାରୀ ଦର ବୃଦ୍ଧି ପାଇ ୮.୯୬ ପ୍ରତିଶତ ରହିଛି । ସେହିଭଳି ଗାଁରେ ଏହି ସ୍ଥିତି ୭.୨୧ ପ୍ରତିଶତ ରହିଛି । ଅନ୍ୟପଟେ ସର୍ଭେ ରିପୋର୍ଟ ଅନୁସାରେ ଅକ୍ଟୋବର ତୁଳନାରେ ନଭେମ୍ବର ମାସରେ ବରୋଜଗାରୀ ଦର ଯଥେଷ୍ଟ ଅଧିକ ରହିଥିଲା । ଏଭଳି ଏଥିପାଇଁ ହୋଇଥିଲା କାରଣ ଉତ୍ସବଋତୁ କାରଣରୁ ଅନେକ କମ୍ପାନୀ ଲୋକଙ୍କୁ ଚାକିରୀ ପ୍ରଦାନ କରିଥିଲେ । ନଭେମ୍ବର ମାସର ତଥ୍ୟକୁ ଯଦି ଦେଖିବା ତେବେ ସବୁଠାରୁ ଅଧିକ ବେରୋଜଗାରୀ ହରିୟାଣାରେ ରହିଛି । ଏଠାରେ ବେରୋଜଗାରୀ ଦର ୩୦.୬ ପ୍ରତିଶତ ରହିଛି । ସେହିଭଳି ରାଜସ୍ଥାନରେ ୨୪.୫ ପ୍ରତିଶତ ବେରୋଜଗାରୀ ଦର ଥିବା ବେଳେ ଜମ୍ମୁକାଶ୍ମୀରରେ ବେରୋଜଗାରୀ ଦର ୨୩.୯ ପ୍ରତିଶତ ରହିଛି । ବିହାରରେ ୧୭.୩, ତ୍ରିପୁରାରେ ବେରୋଜଗାରୀ ଦର ୧୪.୫ ପ୍ରତିଶତ ରହିଛି ।

ସିଏମଆଇଇ ରିପୋର୍ଟ ଅନୁସାରେ ଛତିଶଗଡ, ଉତ୍ତରାଖଣ୍ଡ, ଓଡିଶା, କର୍ଣ୍ଣାଟକ ଏବଂ ମେଘାଳୟରେ ଏହି ସବୁ ରାଜ୍ୟରେ ବେରୋଜଗାରୀ ଦର ସବୁଠାରୁ କମ ରହିଛି । ନଭେମ୍ବର ମାସରେ ଛତିଶଗଡରେ ବେରୋଜଗାରୀ ଦର ୦.୧ ପ୍ରତିଶତ, ଉତ୍ତରାଖଣ୍ଡରେ ୧.୨ ପ୍ରତିଶତ, ଓଡିଶାରେ ୧.୬ ପ୍ରତିଶତ, କର୍ଣ୍ଣାଟକରେ ୧.୮ ପ୍ରତିଶତ ଏବଂ ମେଘାଳୟରେ ବେରୋଜଗାରୀ ଦର ୨.୧ ପ୍ରତିଶତ ରହିଛି ।

ଗତ ଏକବର୍ଷର ତଥ୍ୟକୁ ଯଦି ଦେଖିବା ଜାନୁଆରୀରେ ବେରୋଜଗାରୀ ଦର ୬.୫୬, ଫେବ୍ରୁଆରୀରେ ୮.୧୧, ମାର୍ଚ୍ଚରେ ୭.୫୭, ଅପ୍ରେଲରେ ୭.୮୩, ମେ ମାସରେ ୭.୧୪ ପ୍ରତିଶତ ବେରୋଜଗାରୀ ଦର ଥିଲା । ସେହିଭଳି ଜୁନ ମାସରେ ଏହା ୭.୮୩, ଜୁଲାଇରେ ୬.୮୩, ଅଗଷ୍ଟରେ ୮.୨୮, ସେପ୍ଟେମ୍ବରରେ ୬.୪୩, ଅକ୍ଟୋବରରେ ୭.୮, ନଭେମ୍ବରରେ ୮.୦୯ ପ୍ରତିଶତ ବେରୋଜଗାରୀ ଦର ରହିଛି ।