ଆତ୍ମନିର୍ଭର ହେବାକୁ ଲୋଡା ନାହିଁ ଉଚ୍ଚଶିକ୍ଷା । ପ୍ରମାଣିତ କଲେ କଳାହାଣ୍ଡି କୋକସରା ଅଞ୍ଚଳର ରମା ମାଝି । ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ରମା ଗତ ୧୦ବର୍ଷ ଧରି କରୁଛନ୍ତି ଛତୁଚାଷ ।

120

କନକ ବ୍ୟୁରୋ : ପରିିଶ୍ରମ ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିହୁଏ, ଏହି ଉକ୍ତି ସତ କରି ଦେଖାଇଛନ୍ତି କଳାହାଣ୍ଡି ଜିଳ୍ଳା କୋକସରା ବ୍ଳକ ଟେମରା ଗାଁର ମହିଳା ରମା ମାଝୀ । ନିଜର ଉଦ୍ୟମ ଓ ସାଧନା ବଳରେ ହୋଇ ପାରିଛନ୍ତି ଆତ୍ମ ନିର୍ଭରଶୀଳ । ଘର କାମ କରିବା ସହ ସ୍ୱାମୀଙ୍କ ଚାଷ କାମରେ ସହଯୋଗ କରିବା ପରେ ବାକି ସମୟରେ ଛତୁଚାଷ କରି ସଫଳତା ପାଇଛନ୍ତି ରମା ।

ରମା ମାଝୀ, ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ । ହେଲେ ଆତ୍ମନିର୍ଭରଶୀଳ ହେବା ପାଇଁ ଥିଲା ପ୍ରବଳ ଆଗ୍ରହ । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୧୦ ମସିହାରେ ଭୁବନେଶ୍ୱର ଓୟୁଏଟରୁ ୭ ଦିନ ଧରି ଛତୁଚାଷର ପ୍ରଶିକ୍ଷଣ ନେଇଥିଲେ ରମା । ଆଉ ଘରକୁ ଫେରି ଆରମ୍ଭ କରିଥିଲେ ଛତୁଚାଷ । କଠୋର ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ସଫଳତାର ସହ ଛତୁଚାଷ କରି ସେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଶିକ୍ଷାଗତ ଯୋଗ୍ୟତା କମ୍, ହେଲେ ନିଜେ କିଛି କରି ଦେଖାଇବା ପାଇଁ ରହିଛି ଦୃଢ ଇଚ୍ଚାଶକ୍ତି । ଛତୁଚାଷ କରି ଏବେ ସେ ବାର୍ଷିକ ୩୫ହଜାରରୁ ଅଧିକ ଟଙ୍କା ରୋଜଗାର କରି ନିଜ ପୁଅ ଝିଅଙ୍କୁ ପାଠ ପଢାଇବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସ୍ୱାମୀ ହିରାଲାଲ ମାଝୀ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ଚାଷ କାମରେ ସହଯୋଗ କରି ବାକି ସମୟରେ ଛତୁଚାଷ କରିଥାନ୍ତି ରମା । ଏହି କାମରେ ସ୍ୱାମୀ ମଧ୍ୟ ତାଙ୍କୁ ସହଯୋଗ କରିଥାନ୍ତି । ପ୍ରାୟ ୨ ଡିସ୍ମିଲ ଜମିରେ ଦୀର୍ଘ ୧୦ବର୍ଷ ହେବ ସେ ଛତୁଚାଷ କରି ଆସୁଛନ୍ତି । ସରକାରୀ ସହାୟତା ଅପେକ୍ଷା ନକରି ଚିରାଶାଢୀ ଘେରାଇ ଛତୁ ଚାଷକୁ ସୁରକ୍ଷା ଦେଇଥାନ୍ତି ସ୍ୱାମୀ-ସ୍ତ୍ରୀ । ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକ ଉତ୍ପାଦନ କରିବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିବେ ବୋଲି କହିଛନ୍ତି ରମା ।

ପାଲଛତୁ ଓ ଡିଙ୍ଗିରି ଛତୁ ଚାଷ କରି ଆସୁଥିବାବେଳେ ବର୍ତମାନ ଡିଙ୍ଗିରି ଛତୁ ଚାଷ କରିଛନ୍ତି ରମା । ସରକାରୀ ସ୍ତରରେ ଛତୁ ମଞ୍ଜି ମିଳୁ ନ ଥିବାରୁ ଜୟପାଟଣା ବ୍ଲକରୁ ମଞ୍ଜି ଆଣି ଚାଷ କରୁଛନ୍ତି । ଛତୁ ଚାଷରେ ଅଳ୍ପ ପରିଶ୍ରମ ଓ ଅଧିକ ଲାଭ ରହିଛି । ସରକାରୀ ସ୍ତରରେ ମଞ୍ଜି ଯୋଗାଣ ହେଲେ ଛତୁ ଚାଷ ପ୍ରତି ଅନ୍ୟମାନେ ମଧ୍ୟ ଆକୃଷ୍ଟ ହୋଇପାରିବେ । ଏବଂ ମହିଳାମାନେ ଘର କାମ କରିବା ସହ ଏହି ଚାଷ କରି ସ୍ୱାବଲମ୍ବୀ ହୋଇ ପାରବେ ବୋଲି ମତ ଦେଇଛନ୍ତି ରମା ।