ମହିଳା ହିଂସାର ପେଣ୍ଠସ୍ଥଳୀ ପାଲଟିଛି ଉନାଓ । ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ୩ ଭଉଣୀ । ୨ ଜଣ ମୃତ, ଜଣେ ଗୁରୁତର ।

141

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଉନାଓ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଉତ୍ତରପ୍ରଦେଶର ଉନାଓସ୍ଥିତ ଆଶୋହା ପୁଲିସ୍ ଷ୍ଟେସନ୍ ଅଧୀନରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ୩ ଜଣ ଯୁବତୀ ନିଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସେମାନେ ନିଜ ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସେମାନେ ଘାସ କାଟିବାକୁ ବିଲକୁ ଯାଇ ଆଉ ଘରକୁ ଫେରି ନଥିଲେ। ତିନି ଭଉଣୀ ଘରକୁ ନ ଫେରିବାରୁ ଘର ଲୋକ ବିବ୍ରତ ହୋଇ ଖୋଜାଖୋଜି କରିଥିଲେ। ତା’ପରେ ସେମାନଙ୍କୁ ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ୨ ଭଉଣୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଗୁରୁତର ଝିଅଟିକୁ ମେଡିକାଲକୁ ପଠାଇଥିଲା । ପୋଷ୍ଟମର୍ଟମ୍ ର ପ୍ରାଥମିକ ରିପୋର୍ଟ ଆସିଛି । ରିପୋର୍ଟ ମୁତାବକ ମୃତ ୨ ଭଉଣୀଙ୍କ ଶରୀରରୁ ବିଷ ମିଳିଛି । ହେଲେ ସେମାନେ ବିଷ କାହିଁକି ଖାଇଲେ ନା ସେମାନଙ୍କୁ କେହି ବିଷ ଦେଇ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏପରି କାଣ୍ଡ କିପଟି ଘଟିଲା ତାହାର ଏପର୍ୟ୍ୟନ୍ତ ଟେର୍ ପାଇନାହିଁ ପୁଲିସ୍। ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି।